ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା ହାତୀ ଆକ୍ରମଣ ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ହାତୀ ପାଖକୁ ନ ଯିବା ସହିତ ସେଲଫି ନ ନେବାକୁ ପରାମର୍ଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।
ମନ୍ତ୍ରୀ କହିଛନ୍ତି ରାଜ୍ୟରେ ବର୍ତ୍ତମାନ ହାତୀ ସଂଖ୍ୟା ବଢ଼ିବାକୁ ଲାଗିଛି । ପୂର୍ବରୁ ୧୮୦୦ ହାତୀ ଥିବାବେଳେ ବର୍ତ୍ତମାନ ୨୩୧୦ଟି ହାତୀ ଅଛନ୍ତି । ଏଥିପାଇଁ ଜଙ୍ଗଲର ପରିସୀମା ବଢ଼ିବ । ଲୋକଙ୍କ ମଧ୍ୟରେ ସଚେତନତା ରହିବା ଉଚିତ । ମାଇକ୍ ଯୋଗେ ଲୋକଙ୍କୁ ସଚେତନ କରାଯାଉଛି । ଏହା ସହିତ ଗଜ ସାଥୀ ଏବଂ ଗଜ ମିତ୍ର ଦ୍ୱାରା ସଚେତନ କରାଯାଉଛି । କିନ୍ତୁ ଯେତେବେଳେ ହାତୀ ଗାଁକୁ ଆସୁଛନ୍ତି ଲୋକମାନେ ମୋବାଇଲ ନେଇ ହାତୀ ପଛରେ ଲାଗି ଯାଆନ୍ତି । ହାତୀ ପାଖକୁ ଯାଇ ସେଲଫି ନେଉଛନ୍ତି । ଯେଉଁଥିପାଇଁ ହାତୀ ଆକ୍ରମଣ ସଂଖ୍ୟା ବଢ଼ିଛି ।
ହାତୀ ସଂଖ୍ୟା ବଢ଼ୁଥିବାରୁ ଜଙ୍ଗଲ ବିଭାଗ ଟେକ୍ନିକାଲ ଟିମକୁ ନେଇ ଆଲୋଚନା କରୁଛନ୍ତି । ସ୍ଥାନୀୟ ବିଧାୟକ ଏବଂ ସାଂସଦକୁ ନେଇ ଆଲୋଚନା କରାଯାଉଛି । ରାଜ୍ୟରେ ୩୩ ପ୍ରତିଶତ ଜଙ୍ଗଲ ରହିଛି । ୫ ପ୍ରତିଶତ କୃତ୍ରିମ ଜଙ୍ଗଲ ବୃଦ୍ଧି ପାଇଛି । ଜଙ୍ଗଲ ହିସାବରେ ବନ୍ୟ ଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଜଙ୍ଗଲରେ କିପରି ହାତୀଙ୍କୁ ପାଇଁ ପ୍ରଚୁର ପରିମାଣ ଖାଦ୍ୟ ମହଜୁତ ରହିବ ସେ ନେଇ ସରକାର କାମ କରୁଛନ୍ତି ବୋଲ ମନ୍ତ୍ରୀ କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ପାଟପୁରୀ ଜଙ୍ଗଲରେ ଜାଳେଣୀ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ତିନି ଜଣ ମହିଳାଙ୍କର ମୃତ୍ୟୁ ହୋଇଥିଲା । ପାଟପୁରୀ ଗ୍ରାମର ୧୦ ରୁ ୧୫ ଜଣ ମହିଳା କାଠ ସଂଗ୍ରହ ପାଇଁ ସଦର ରେଞ୍ଜ ପାଟପୁରୀ ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ। କାଠ ସଂଗ୍ରହ କରିବା ବେଳେ ଜଙ୍ଗଲରେ ହାତୀ ପଲଙ୍କ ହାବୁଡ଼ରେ ପଡିଯାଇଥିଲେ। ଏପରିକି ହାତୀପଲ ମହିଳାଙ୍କୁ ଆକ୍ରମଣ କରିଥିଲେ। ଯେଉଁଥିରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଭାବେ ଆହତ ହୋଇଥିଲେ ।