ଅନୁଗୁଳ: ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କିରାଣୀ ସୁବ୍ରତ ବେହେରା କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗରେ ଭିଜିଲାନ୍ସ ରେଡ କରିଛି। ସୁବ୍ରତଙ୍କ ଘର ସମେତ ୪ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। ଢେଙ୍କାନାଳ ଜିଲ୍ଲା ବାଉଁଶ ପୋଖରୀ ଠାରେ ଥିବା ନିଜ ଘର, ବଅଁରପାଳ ଶଶୁରଘର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସୁସୁଡ଼ାସ୍ଥିତ ବାସଭବନରେ ଚଢ଼ାଉ ଚାଲିଛି। ତିନୋଟି ଭିଜିଲାନ୍ସ ଟିମ ଚଳାଇଛନ୍ତି ରେଡ। ୩୦ ଜଣ ଭିଜିଲାନ୍ସ କର୍ମଚାରୀ ଏଥିରେ ସାମିଲ ଅଛନ୍ତି।
ପୂର୍ବରୁ କର୍ମଚାରୀ ଓ ଡାକ୍ତରଙ୍କ ଦରମା ଟଙ୍କା ହଡପ କରିଥିବା ସିଡିଏମଓ ଅଭିଯୋଗ କରିଥିଲେ। ମାମଲା ହେବା ପରେ ଅଗ୍ରୀମ ଜାମିନରେ ଆସିଥିଲେ ସୁବ୍ରତ। ଗତକାଲି କଟକ ଭିଜିଲାନ୍ସ କାର୍ଯ୍ୟାଳୟରେ ସୁବ୍ରତଙ୍କୁ ମାରାଥନ୍ ଜେରା ପରେ ଛଡାଯାଇଥିଲା। ଆଜି କଟକ ଓ ଅନୁଗୁଳର ୧୦ ଜଣିଆ ଟିମ ବିଭିନ୍ନ କାଗଜପତ୍ର, ଆକାଉଣ୍ଟ ଯାଞ୍ଚ କରିବା ସହ ଘରେ ଖାନତଲାସୀ କରୁଛି।
ନିଜ ଦରମା ବଢ଼ାଇ ରାଜକୋଷରୁ ପ୍ରାୟ ଅଢେଇ ଲକ୍ଷ ଟଙ୍କା ଲୁଟି ନେଇଥିଲେ ସୁବ୍ରତ। ଏହାସହ ଅନେକ ଡାକ୍ତରଙ୍କୁ ବି ଚୁନା ଲଗାଇଛନ୍ତି। ହସ୍ପିଟାଲ ପକ୍ଷରୁ ମାମଲା ରୁଜୁ ହେବା ପରେ ସୁବ୍ରତ ଫେରାର ହୋଇଯାଇଥିଲେ। ଏହାପରେ ଭିଜିଲାନ୍ସରେ ମାମଲା ଦାଖଲ କରିଥିଲା ସ୍ଵାସ୍ଥ୍ୟ ବିଭାଗ। ଦୀର୍ଘ ସାଢ଼େ ୩ ମାସ ପରେ ସୁବ୍ରତଙ୍କୁ ଧରିଛି ଭିଜିଲାନ୍ସ। HRMS ପୋର୍ଟାଲ ମାଧ୍ୟମରେ ନିଜ ଦରମା ଅହେତୁକ ବୃଦ୍ଧି କରି ଲୁଟୁଥିବା ଅଭିଯୋଗ ହୋଇଛି।
ଅଧିକ ପଢନ୍ତୁ: ସାମ୍ନାକୁ ଆସିଲା ସତ୍ୟବ୍ରତ ହତ୍ୟାକାଣ୍ଡର କାରଣ; କେମିତି ହେଇଥିଲା ହତ୍ୟା, କ୍ରାଇମ ସ୍ପଟରେ ଡେମୋ ଦେଖାଇଲା ଅଭିଯୁକ୍ତ ଦୀନେଶ