ଭୁବନେଶ୍ୱର: ମାଓ ମୁକ୍ତ ଭାରତ ପାଇଁ ଆଉ ମାତ୍ର ଦେଢ଼ ମାସର ସମୟ ରହିଛି । ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଦିଆଯାଇଥିବା ମାର୍ଚ୍ଚ ମାସ ଯାଏଁ ଅବଧି ସରି ସରି ଆସୁଛି । ଏହା ପୂର୍ବରୁ ପୁଣି ଥରେ ଓଡ଼ିଶା ସରକାର ଆତ୍ମସମର୍ପଣ ପାଇଁ ମାଓବାଦୀଙ୍କୁ ଆହ୍ୱାନ କରିଛନ୍ତି । ତତସହିତ ମାଓବାଦୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ପୁନର୍ବାସ ନୀତିରେ ମଧ୍ୟ ସଂଶୋଧନ କରାଯାଇଛି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି ଜାରି କରାଯାଇଛି ।
ରାଜ୍ୟ ଗୃହ ବିଭାଗ ପକ୍ଷରୁ ଓଡ଼ିଶାରେ ସକ୍ରିୟ ଥିବା ମାଓବାଦୀ ଅନ୍ୟ ରାଜ୍ୟର ନକ୍ସଲଙ୍କୁ ଆତ୍ମସମର୍ପଣର ପାଇଁ ଆହ୍ୱାନ କରାଯାଇଛି । ନକ୍ସଲଙ୍କ ଆତ୍ମସମର୍ପଣ ପାଇଁ ଗତ ୨ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଥଇଥାନ ପ୍ୟାକେଜର ସଂଶୋଧନ କରିଛନ୍ତି । ଏଣିକି ଆତ୍ମସମର୍ପଣର ୬୦ ଦିନ ସୁଦ୍ଧା ମିଳିବ ଥଇଥାନ ସୁବିଧା । ମୁଣ୍ଡ ଜାମିନ ପୁରସ୍କାର ରାଶିକୁ ଅତ୍ୟଧିକ ବୃଦ୍ଧି କରାଯାଇଛି । କେନ୍ଦ୍ରୀୟ କମିଟି ବା ପଲିଟବ୍ୟୁରୋ ସଭ୍ୟଙ୍କୁ ସର୍ବାଧିକ ୧.୧୦ କୋଟି, ରାଜ୍ୟ କମିଟି ୫୫ ଲକ୍ଷ ଏବଂ ଆଞ୍ଚଳିକ କମିଟି ସଭ୍ୟଙ୍କୁ ୩୩ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ସେହିପରି ୫ ଲକ୍ଷରୁ ଅଧିକ ପୁରସ୍କାର ଥିବା ନକ୍ସଲଙ୍କୁ ଅତିରିକ୍ତ ୧୦ ଲକ୍ଷ ଫିକ୍ସଡ୍ ଡିପୋଜିଟ୍ ପ୍ରଦାନ କରାଯିବ ।
ସେହିପରି ଯେଉଁମାନେ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିବେ ସେମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ରହିଛି । ଏଲ୍ଏମ୍ଜି ବନ୍ଧୁକ ପାଇଁ ୪.୯୫ ଲକ୍ଷ, ଏକେ-୪୭ ପାଇଁ ୩.୩୦ ଲକ୍ଷ ଟଙ୍କା, ଇନସାସ୍ ବା ଏସ୍ଏଲ୍ଆର୍ ରାଇଫଲ୍ ପାଇଁ ୧.୬୫ ଲକ୍ଷ ଟଙ୍କା, ଗୋଟିଏ ଗ୍ରେନେଡ୍ ପାଇଁ ୫୫୦ ଟଙ୍କା ଓ ପ୍ରତି ଗୁଳି ପାଇଁ ୫୫ ଟଙ୍କା ପୁରସ୍କାର ପ୍ରଦାନ କରାଯିବ । କୌଣସି ଅସ୍ତ୍ର ନଥାଇ ଆତ୍ମସମର୍ପଣ କଲେ ଅତିରିକ୍ତ ୨୫ ହଜାର ଟଙ୍କା ପ୍ରୋତ୍ସାହନ ମିଳିବ ।