କଟକ: କଟକ ଏସସିବି ମେଡ଼ିକାଲରେ ଆଇସିୟୁ ବେଡରୁ ରୋଗୀ ପଡ଼ିବା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଇସିୟୁରେ ଯେଉଁମାନେ ଡ୍ୟୁଟିରେ ଥିଲେ ସେମାନଙ୍କୁ ଦାୟିତ୍ୱ ହଟାଯାଇଛି । ଏ ନେଇ ଏସସିବିରେ ଅତିରିକ୍ତ ଅଧୀକ୍ଷକ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ କଟକ ବାସିନ୍ଦା ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଆଇସିୟୁ ଭଳି ଗୋଟିଏ ସମ୍ବେଦନଶୀଳ ସ୍ଥାନରେ ଏଭଳି ଘଟଣା ଘଟିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବାରମ୍ବାର ଏଭଳି ଘଟଣା ଘଟୁଥିବାବେଳେ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି । ଆଗାମୀର ଦିନରେ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ଗତ 5 ତାରିଖ ଦିନ ଏସସିବି ମେଡ଼ିକାଲରେ ଆଇସିୟୁରୁ ଏକ ଅଭାବନୀୟ ଚିତ୍ର ଆସିଥିଲା । ଆଇସିୟୁରେ ଜଣେ ମହିଳା ରୋଗୀ ଶୋଇଥିବାବେଳେ ବେଡରୁ ତଳକୁ ଖସିପଡ଼ିଥିଲେ । ସେହିପରି ଜଣେ ବୃଦ୍ଧ ବ୍ୟକ୍ତିଙ୍କର ହାତରୁ ଭେନଫ୍ଲନ ବାହାରି ଯାଇଥିଲା । ଯାହାର ଭିଡ଼ିଓ ଭାଇରାଲ ହୋଇଥିଲା । ଆଇସିୟୁରେ ସେତେବେଳେ କାହିଁକି କୌଣସି କର୍ମଚାରୀ ଉପସ୍ଥିତ ନ ଥିଲେ ସେନେଇ ପ୍ରଶ୍ନ ଉଠିଛି । ଏସସିବି ମେଡିକାଲ ମେଡ଼ିସିନ୍ ବିଭାଗ ପ୍ରଥମ ମହଲା ଆଇସିୟୁ ବୋଲି ଅନୁମାନ କରାଯାଉଛି ।