କଟକ: ଏଣିକି କଟକରେ ଆଉ ରହିବନି ଟ୍ରାଫିକ୍ ସମସ୍ୟା। ଭିଡ଼ମୁକ୍ତ ହେବ କଟକ। ଏହାର ସମଧାନ ପାଇଁ ଆଉଟର ରିଙ୍ଗ୍ରୋଡ୍ ନିର୍ମାଣ ହେବାନେଇ ଚାଲିଛି ବଡ଼ ଯୋଜନା। ଭୁବନେଶ୍ୱର ସହର ପରିବର୍ଦ୍ଧିତ ଯୋଜନା ପରି କଟକରେ ରିଙ୍ଗ୍ରୋଡ୍ ନିର୍ମାଣ ନେଇ ସରକାର ଯୋଜନା କରିଛନ୍ତି। ଏଥିସହ କଟକ-ସମ୍ବଲପୁର ଜାତୀୟ ରାଜପଥ-୫୫ କୁ ୬ ଲେନ୍ କରିବା ନେଇ ସର୍ଭେ ହେବ। ସବୁ ରାଜ୍ୟ ରାଜପଥକୁ ୪ ଲେନ୍ କରିବା ପାଇଁ ତ୍ଵରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ପୂର୍ତ୍ତ ବିଭାଗର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ପ୍ରସ୍ତାବିତ ସବୁ ନିର୍ମାଣ ପ୍ରକଳ୍ପର ନିର୍ମାଣ-ପୂର୍ବ କାର୍ଯ୍ୟକଳାପ ଏବଂ ଆନୁଷଙ୍ଗିକ ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ରାଜ୍ୟର ସବୁକୋଣକୁ ସଂଯୋଗ ହୋଇଥିବା ରାଜ୍ୟ ରାଜପଥଗୁଡ଼ିକୁ ୪ ଲେନ୍ କରିବାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହାର ସର୍ଭେ କାର୍ଯ୍ୟ ଆରମ୍ଭ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ।
ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୂର୍ତ୍ତ ବିଭାଗର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରି ମନ୍ତ୍ରୀ କହିଛନ୍ତି, କେବଳ ବଡ଼ ବଡ଼ ସହରର ଉନ୍ନୟନ ଦ୍ୱାରା ରାଜ୍ୟର ସାମଗ୍ରିକ ବିକାଶ ହୋଇପାରିବ ନାହିଁ। ଏଥିପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତି ସହରକୁ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ିକରଣ କରିବାକୁ ପଡ଼ିବ। ଏହି ବୈଠକରେ ଜୟଦେବ ବିହାର-ନନ୍ଦନକାନନ ରୋଡ୍ ଓ ଲେଫ୍ଟ ପାରାଲାଲ ରୋଡ୍, ପଥରଗାଡ଼ିଆ-ଦାରୁଠେଙ୍ଗ ରାସ୍ତା, ପ୍ରସ୍ତାବିତ କେଳୁଚରଣ-ଫୁଲନଖରା ରୋଡ୍, ପଳାଶୁଣି ଠାରୁ ଗ୍ୟାରେଜ୍ ଛକ, ଆଚାର୍ଯ୍ୟ ବିହାର-କଳିଙ୍ଗ ହସ୍ପିଟାଲ୍ ରୋଡ୍, କାଇମାଟିଆ ଛକରୁ ଗୋଠପାଟଣା ରାସ୍ତା, ଗୋହିରିଆରୁ ଛତାବର ଭାୟା-ମଦନପୁର, ଏମ୍ସ ରାସ୍ତା ଆଦିର ନିର୍ମାଣ, ପ୍ରଶସ୍ତିକରଣ ଏବଂ ଆବଶ୍ୟକ ସ୍ଥଳେ ଜମି ଅଧିଗ୍ରହଣ ନେଇ ଆଲୋଚନା ହୋଇଥିଲା।
ସେହିପରି ପ୍ରମୁଖ ଜାତୀୟ ରାଜପଥ ଯଥା କୋଣାର୍କ-ପୁରୀ-ସାତପଡ଼ା ରାସ୍ତାର ପ୍ରଶସ୍ତିକରଣ, ପିପିଲି-କୋଣାର୍କ ରାସ୍ତାର ନୂଆ ଆଲାଇନ୍ମେଣ୍ଟ, କଟକ-କନ୍ଦରପୁର ଏବଂ କନ୍ଦରପୁର-ବାଲିକୁଦା, ଜୟପୁର ବାଇପାସ୍ ଓ ବଲାଙ୍ଗିର ବାଇପାସ୍ ରାସ୍ତା ନିର୍ମାଣ ନେଇ ମଧ୍ୟ ଆଲୋଚନା ହୋଇଥିଲା।
ଅଧିକ ପଢନ୍ତୁ: ୨୫୦ ନୂତନ ଆମ୍ବୁଲାନ୍ସ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ