ନବରଙ୍ଗପୁର: ଆଜି ନବରଙ୍ଗପୁର ଜିଲ୍ଲାର ୪ଟି ବ୍ଲକରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ମିଳିତ ସଂଗ୍ରାମୀ ମଞ୍ଚ ପକ୍ଷରୁ ଶାନ୍ତି ପୂର୍ଣ୍ଣ ବନ୍ଦ ପାଳନ କରାଯାଉଛି । ଉମରକୋଟ, ରାଇଘର, ଝରିଗାଁ ଏବଂ ଚାନ୍ଦାହାଣ୍ଡି ବ୍ଲକରେ ଚକ ଅଖ ବନ୍ଦ ରହିଛି । ରାସ୍ତାଘାଟ ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଯାଏଁ ସବୁକିଛି ବନ୍ଦ ରହିଛି ।
ପ୍ରମୁଖ ତିନୋଟି ଦାବି ନେଇ ବନ୍ଦ ଡାକରା ଦିଆଯାଇଛି । ଉମରକୋଟକୁ ସବଡିଭିଜନ୍ ମାନ୍ୟତା, ପ୍ରସ୍ତାବିତ ମେଡ଼ିକାଲ କଲେଜ ପ୍ରତିଷ୍ଠା, ମକା ଚାଷୀଙ୍କ ପାଇଁ ମକା ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ, ଭୂ-ବନ୍ଦୋବସ୍ତ ବ୍ୟବସ୍ଥା ପାଇଁ ଦାବି କରାଯାଇଛି । ପୂର୍ବରୁ ଏ ନେଇ ବାରମ୍ବାର ସରକାରଙ୍କ ନିକଟରେ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସଂଗ୍ରାମୀ ମଞ୍ଚ ଆନ୍ଦୋଳନକୁ ଓହ୍ଲାଇଛି ।
ବନ୍ଦ ଡାକରା ଯୋଗୁଁ ରାସ୍ତାଘାଟ ଖାଁ ଖାଁ ହୋଇଯାଇଛି । ଦୋକାନ ବଜାରରେ ତାଲା ଝୁଲୁଛି । ସେହିପରି ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଆଜି ବନ୍ଦ ରହିଥିବା ଦେଖିବାକୁ ମିଳିଛି ।