ପୁରୀ: ପୁଣି ମହାପ୍ରସାଦକୁ ଅପମାନ। ଡାଇନିଂ ଟେବୁଲ୍ ରେ ବସି ମହାପ୍ରଭୁଙ୍କ ମହାପ୍ରସାଦ ସେବନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପୁରୀର ଏକ ହୋଟେଲରେ ବଙ୍ଗୀୟ ଯାତ୍ରୀ ଡାଇନିଂ ଟେବୁଲରେ ବସି ମହାପ୍ରସାଦ ସେବନ କରୁଥିବା ଘଟଣାକୁ ନେଇ ଜଗନ୍ନାଥ ପ୍ରେମୀଙ୍କୁ ଘୋର ଆଘାତ ଦେଇଛି। କେବଳ ଡାଇନିଂ ଟେବୁଲରେ ବସି ମହାପ୍ରସାଦ ସେବନ ନୁହେଁ ଚପଲ ପିନ୍ଧି ଏହାକୁ ସେବନ କରିବାକୁ ନେଇ ମଧ୍ୟ ଉଦବେଗ ପ୍ରକାଶ ପାଇଛି।
ମହାପ୍ରଭୁଙ୍କ ମହାପ୍ରସାଦ କାଣିଚାଏ ପ୍ରାପ୍ତ ହେଲେ ଆତ୍ମ ତୃପ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଛି। ସେହିପରି ମହାପ୍ରସାଦ ସେବନ ସମୟରେ ଖାଲି ପାଦରେ ତଳେ ବସି ଏହାକୁ ସେବନ କରିବାର ପରମ୍ପରା ମଧ୍ୟ ରହିଛି। ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ମହାପ୍ରସାଦ ସେବନ କରିବା ଦ୍ୱାରା ଅଶେଷ ପୁଣ୍ୟ ମିଳେ ବୋଲି ମଧ୍ୟ ବିଶ୍ଵାସ ରହିଛି। କିନ୍ତୁ ମହାପ୍ରସାଦକୁ ଏଭଳି ଅସମ୍ମାନ କରିବା ଆଦୋୖ ଉଚିତ ନୁହେଁ ବୋଲି ଜଗନ୍ନାଥ ପ୍ରେମୀ କହିଛନ୍ତି।
ତେବେ ଯେଉଁ ହୋଟେଲରେ ବଙ୍ଗୀୟ ଯାତ୍ରୀ ମହାପ୍ରସାଦକୁ ଅସମ୍ମାନ କରିଛନ୍ତି ସେହି ହୋଟେଲର କର୍ମଚାରୀ ମାନେ କ'ଣ କରୁଥିଲେ ସେହି ସମୟରେ ତାକୁ ନେଇ ପ୍ରଶ୍ନ ଉଠିଛି। ଏହା ପ୍ରଥମ ଘଟଣା ନୁହେଁ, ଅନେକଥର ଏଭଳି ଘଟଣା ଭାଇରାଲ ହେଉଛି। ଏଭଳି କାର୍ଯ୍ୟ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି। ମହାପ୍ରସାଦକୁ ସମ୍ମାନ ଦେଇ କିଭଳି ସେବନ କରିବା କଥା ସେନେଇ ହୋଟେଲ ପକ୍ଷରୁ ଯାତ୍ରୀ ମାନଙ୍କୁ ସଚେତନ କରାଗଲେ ଏଭଳି ଘଟଣା ବାରମ୍ବାର ଘଟନ୍ତା ନାହିଁ ବୋଲି ମତ ରଖିଛନ୍ତି ସେବାୟତ। ଏଣୁ ସମସ୍ତ ହୋଟେଲରେ ଏ ଦିଗରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି।
ଅଧିକ ପଢନ୍ତୁ: ଶେଷ ବେଳକୁ BJD ଥିବେ କେବଳ ଏହି ୩ ଜଣ; ମାଙ୍କଡ ଉପାଖ୍ୟାନ କଥା କହି କାହାକୁ କଲେ ଇଙ୍ଗିତ ଉପାସନା