ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଧାନ ମଣ୍ଡିରେ ଅବ୍ୟବସ୍ଥା ଏବଂ ଧାନ ସଂଗ୍ରହରେ ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବାରେ ବିଫଳତା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟର ଅନ୍ନଦାତା ସମ୍ମୁଖୀନ ହେଉଥିବା ଦୁର୍ଦ୍ଦଶା ଓ ଶୋଷଣ ସମ୍ପର୍କରେ ନବୀନ ଚିଠି ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି ।
ନବୀନ ଲେଖିଛନ୍ତି, ଓଡ଼ିଶାର ଜୀବନ ରେଖା କୃଷ୍ଟି ପ୍ରତି ପ୍ରଶାସନିକ ଉଦାସୀନତା ଏବଂ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିର ଖୋଲାଖୋଲି ଉଲ୍ଲଂଘନ ଯୋଗୁଁ ଚଳିତ ଖରିଫ ଫସଲ ସଂଗ୍ରହ ଚାଷୀଙ୍କ ପାଇଁ ଗଭୀର ସଂଘର୍ଷର ସମୟ ପାଲଟିଛି । ନବୀନ ବିଜେପି ଦ୍ୱାରା ଦିଆଯାଇଥିବା ନିର୍ବାଚନୀ ଇସ୍ତାହାର ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି ନିର୍ବାଚନ ସମୟରେ କୃଷକ ସମାଜକୁ ବର୍ଦ୍ଧିତ ଏମଏସପି ଏବଂ କଟନି-ଛାଟନି ବନ୍ଦ କରିବା ସମ୍ପର୍କରେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମଣ୍ଡିର ବାସ୍ତବତା ବିଶ୍ୱାସଘାତକର କାହାଣୀ କହୁଛି ।
ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି, ଚାଷୀମାନେ କଟନୀ-ଛଟନୀର ଶୀକାର ହେଉଛନ୍ତି । ଆର୍ଦ୍ରତା କିମ୍ବା ନିମ୍ନମାନର ଗୁଣବତ୍ତାର ଆଳ ଦେଖାଇ ପ୍ରତି କ୍ୱିଣ୍ଟାଲ ପିଛା ୫ କି.ଗ୍ରା.ରୁ ୭ କି.ଗ୍ରା ପର୍ଯ୍ୟନ୍ତ ମନଇଚ୍ଛା କାଟି ଦିଆଯାଉଛି। ମିଲର ଏବଂ ସ୍ଥାନୀୟ ଅଧିକାରୀଙ୍କ କଥିତ ସହଯୋଗରେ, ଚାଷୀମାନଙ୍କୁ ଏକ "ପାରସ୍ପରିକ ଚୁକ୍ତି" କରିବାକୁ ବାଧ୍ୟ କରାଯାଉଥିବା ନବୀନ ଅଭିଯୋଗ କରିଛନ୍ତି ।
ଚାଷୀଙ୍କୁ ପ୍ରତି କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ୍ ସବସିଡି ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ, ପ୍ରତି ଚାଷୀଙ୍କୁ ସର୍ବାଧିକ ୧୫୦ କ୍ୱିଣ୍ଟାଲ ପର୍ଯ୍ୟନ୍ତ ସବସିଡିକୁ ସୀମିତ କରିବା ପାଇଁ ସାମ୍ପ୍ରତିକ ନିଷ୍ପତ୍ତି ସ୍ପଷ୍ଟ ବିଶ୍ୱାସ ଭଙ୍ଗ। ସେହିପରି ଭାରତ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୬୯ ଟଙ୍କା ବୃଦ୍ଧି କରିଛନ୍ତି। କିନ୍ତୁ ଓଡ଼ିଶାର ଚାଷୀମାନେ ବର୍ଦ୍ଧିତ ମୂଲ୍ୟ ପାଉନାହାଁନ୍ତି । ଏହା କ'ଣ ବିଶ୍ୱାସଘାତକତା ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ନବୀନ ।
ମୌଳିକ ସୁବିଧାର ଅଭାବ, ଟୋକନ୍ ସିଷ୍ଟମର ବିଫଳତା ଏବଂ ଡିବିଟି ମାଧ୍ୟମରେ ୪୮ ଘଣ୍ଟା ମଧ୍ୟରେ ଦେୟ ପ୍ରଦାନରେ ବିଳମ୍ବ ହେଉଛି ।
ସୀମିତ ମୂଲ୍ୟ, ଏବଂ କ୍ରୟର ମନ୍ଥର ଗତି, ଅସାଧୁ ବ୍ୟବସାୟୀ ଏବଂ ମିଲରମାନଙ୍କ ଦ୍ୱାରା ଶୋଷଣ କରାଯାଉଛି । ଋଣ ପରିଶୋଧ କରିବାକୁ ହତାଶ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ବହୁ ତଳେ ଅଭାବୀ ବିକ୍ରୟ କରିବାକୁ ବାଧ୍ୟ କରାଯାଉଛି । "କଟନି ଛାଟନି" ବନ୍ଦ କରିବା ପାଇଁ ମଣ୍ଡିଗୁଡ଼ିକରେ ସ୍ୱତନ୍ତ୍ର ସ୍କ୍ୱାଡ୍ ନିୟୋଜିତ ଏବଂ ତ୍ରୁଟିପୂର୍ଣ୍ଣ ମିଲର୍ ଓ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନବୀନ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।