ଭୁବନେଶ୍ୱର: ଆସନ୍ତା 19 ତାରିଖରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ଚଳିତ ବର୍ଷ ରାଜ୍ୟର ୩୦୮୨ ସେଣ୍ଟରରେ ମାଟ୍ରିକ୍ ପରୀକ୍ଷା ହେବ । ଏ ନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଶ୍ରୀକାନ୍ତ ତରାଇ ।
ସଭାପତି କହିଛନ୍ତି, ରାଜ୍ୟରେ ମୋଟ ୩୦୮୨ ସେଣ୍ଟରରେ ମାଟ୍ରିକ୍ ପରୀକ୍ଷା ହେବ । ଚଳିତ ବର୍ଷ ପ୍ରାୟ ୮୦ଟା ସେଣ୍ଟର ଅଧିକ କରାଯାଇଛି । ପ୍ରଶ୍ନପତ୍ର ରଖିବା ପାଇଁ ୩୨୨ଟି ନୋଡାଲ୍ ସେଣ୍ଟର ରହିଛି । ମାଟ୍ରିକ୍ ପରୀକ୍ଷା ପାଇଁ ମୋଟ ୫ ଲକ୍ଷ ୬୧ ହଜାର ୯୭୯ ପିଲା ଫର୍ମ ଫିଲ୍ ଅପ୍ କରିଛନ୍ତି । ଗୋଟିଏ ସିଟିଂରେ ସକାଳ ୯ ଟାରୁ ସାଢ଼େ ୧୧ଟା ଯାଏ ପରୀକ୍ଷା ଚାଲିବ ।
ଆସନ୍ତାକାଲି ଠାରୁ ବୋର୍ଡ କାର୍ଯ୍ୟାଳୟରୁ ପ୍ରଶ୍ନ ପତ୍ର ନୋଡାଲ୍ ସେଣ୍ଟରକୁ ପ୍ରଶ୍ନ ପତ୍ର ପଠାଯିବା ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ୫ ଟି ଜିଲ୍ଲା ମାଲକାନଗିରି, କୋରାପୁଟ, କଳାହାଣ୍ଡି, ଝାରସୁଗୁଡ଼ା ଓ ସୁନ୍ଦରଗଡ଼କୁ ପ୍ରଶ୍ନ ପତ୍ର ପଠାଯିବ । କନ୍ଧମାଳ ଏବଂ ମାଲକାନଗିରି ମାଓ ଅଧ୍ୟୁଷିତ ଜିଲ୍ଲାରେ ୧୭ଟି ଥାନାରେ ନୋଡାଲ୍ ସେଣ୍ଟର୍ କରାଯାଇଛି । ସମସ୍ତ ନୋଡାଲ ସେଣ୍ଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପ୍ରଶ୍ନ ପତ୍ର ଲିକ୍ ରୋକିବାକୁ ଲାଇଭ୍ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି, ଯାହାକୁ ବୋର୍ଡ କାର୍ଯ୍ୟାଳୟରୁ କଣ୍ଟ୍ରୋଲ କରାଯିବ । ସେହିପରି କେଉଁ ମାର୍ଗ ଦେଇ ପ୍ରଶ୍ନ ପତ୍ର ଗାଡ଼ି ଯିବ ତାହା ମଧ୍ୟ ସ୍ଥିର ହୋଇଛି । ପ୍ରତି ଗାଡ଼ିରେ ବୋର୍ଡର କର୍ମଚାରୀ ଉପସ୍ଥିତ ରହିବେ । ୧୭ ତାରିଖ ସୁଦ୍ଧା ଭିତରେ ପ୍ରଶ୍ନପତ୍ର ସବୁ ନୋଡାଲ୍ ସେଣ୍ଟରରେ ପହଞ୍ଚିବ । ପରୀକ୍ଷା ଦିନ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନ ପତ୍ର ପଠାଯିବ ।
ସେହିପରି କପି ରୋକିବାକୁ ପ୍ରତି ପ୍ରଶ୍ନପତ୍ର ଏବଂ ଉତ୍ତର ଖାତାରେ ୱାଟର୍ ମାର୍କ ଓ କ୍ୟୁଆର୍ କୋଡ୍ ରଖାଯାଇଛି । ଯଦି ଲିକ୍ ହୁଏ ତେବେ ତାହା କେଉଁ ପିଲାର ବୋଲି ଜଣାପଡ଼ିଯିବ । ଚିନ୍ତା ମୁକ୍ତ ହୋଇ ପରୀକ୍ଷା ଦେବାକୁ ଯିବାକୁ ପିଲାଙ୍କୁ ପରାମର୍ଶ ଦେଇଛନ୍ତି ବୋର୍ଡ ସଭାପତି ।
Also read: ମଣ୍ଡି ଅବ୍ୟବସ୍ଥା ଓ କଟନୀ ଛଟନୀକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଜଣାଇଲେ ନବୀନ