କଟକ: ଓଲିଉଡ୍ ଅଭିନେତା ସାତ୍ୟକି ମିଶ୍ରଙ୍କୁ ହତ୍ୟା ଧମକ ମିଳିଛି । ତାଙ୍କର ବଡ଼ ବାପାଙ୍କ ଦୁଇ ପୁଅ ସବ୍ୟସାଚୀ ମିଶ୍ର ଏବଂ ସୌମିତ୍ରୀ ମିଶ୍ର ଘରେ ପଶି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ହତ୍ୟା ଧମକ ଦେଇଥିବା ନେଇ ସାତ୍ୟକି ମିଶ୍ର ଅଭିଯୋଗ କରିଛନ୍ତି । ପ୍ରଥମେ କଟକ ପୁରୀଘାଟ ଥାନାରେ ଅଭିଯୋଗ କରିବା ପରେ ସୋମବାର ଡିସିପିଙ୍କୁ ଭେଟି ଜଣାଇଛନ୍ତି ।
ସାତ୍ୟକୀ ମିଶ୍ରଙ୍କ ଅଭିଯୋଗ ମୁତାବକ, ବାଲୁବଜାରରେ ଥିବା କଟକ ଷ୍ଟୁଣ୍ଡେଣ୍ଟ୍ ବୁକ୍ ଷ୍ଟୋରର ମାଲିକାନାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଛି । ସାତ୍ୟକିଙ୍କ ଜେଜେ ବାପା ତାଙ୍କ ବାପା ନୃସିଂହ ପ୍ରସାଦ ମିଶ୍ରଙ୍କୁ ଉକ୍ତ ପୁସ୍ତକ ଦୋକାନକୁ ବୁଝିବାକୁ ଦେଇଥିଲେ । କିନ୍ତୁ ତାଙ୍କ ବଡ଼ ବାପାଙ୍କ ଦୁଇ ପୁଅ ସବ୍ୟସାଚୀ ମିଶ୍ର ଓ ସୌମିତ୍ରୀ ମିଶ୍ର ତାହାକୁ ହାତେଇବାକୁ ଚେଷ୍ଟା କରୁଛନ୍ତି । ଉଭୟ କିଛି ଦିନ ତଳେ ସାତ୍ୟକିଙ୍କ ଘରେ ପଶି ତାଙ୍କର ୮୪ ବର୍ଷିୟ ବୃଦ୍ଧ ବାପା ନୃସିଂହ ପ୍ରସାଦ ମିଶ୍ରଙ୍କୁ ଗାଳି ଗୁଲଜ କରିବା ସହିତ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏହା ସହିତ ଘରେ ଥିବା ସାତ୍ୟକିଙ୍କ ପତ୍ନୀଙ୍କୁ ମଧ୍ୟ ଅସଭ୍ୟ ଭାଷାରେ ଗାଳି କରିଥିଲେ ।
ଜୀବନ ପ୍ରତି ବିବାଦ ଥିବା ଦର୍ଶାଇ ସାତ୍ୟକି ପୁରୀ ଘାଟ ଥାନାରେ ଏତଲା ଦେଇଥିଲେ । ପୋଲିସ ବାରମ୍ବାର କଲ୍ କରିଥିଲେ ମଧ୍ୟ ଉଭୟ ଭାଇ କୌଣସି ଜବାବ ଦେଇନଥିଲେ । ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସେ ପୁଣି ଡିସିପିଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଛନ୍ତି ।