ନୂଆଦିଲ୍ଲୀ: ହରିୟାଣାର ଫରିଦାବାଦ ଜିଲ୍ଲାର ବଲ୍ଲଭଗଡ଼ରେ ଥିବା ନିମକା ଜିଲ୍ଲା ଜେଲରେ ଜଣେ ବିଚାରଧୀନ ଆତଙ୍କବାଦୀକୁ ହତ୍ୟା କରାଯାଇଚି । ସେ ହେଲା ଉତ୍ତର ପ୍ରଦେଶର ଅଯୋଧ୍ୟା ଜିଲ୍ଲାର ମିଲକିପୁର ଅଞ୍ଚଳର ବାସିନ୍ଦା ୨୦ ବର୍ଷୀୟ ଅବଦୁଲ ରେହମାନ ।
ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ବାରାକରେ ବିବାଦ ଆରମ୍ଭ ହୋଇଥିଲା । ସାଥୀ କଏଦୀ ଅରୁଣ ଚୌଧୁରୀ ଅବଦୁଲ ରହେମାନଙ୍କୁ ଏକ ଧାରୁଆ ଜିନିଷରେ ଆକ୍ରମଣ କରିଥିଲା । ଗୁରୁତର ଆହତ ରହେମାନକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ହତ୍ୟା ଅଭିଯୋଗରେ ଅଭିଯୁକ୍ତ କଏଦୀ ବିରୋଧରେ ପୂର୍ବରୁ ଅନେକ ମାମଲା ରୁଜୁ ଥିଲା। ପୋଲିସ ତା ବିରୁଦ୍ଧରେ ଆଉ ଏକ ନୂତନ ହତ୍ୟା ମାମଲା ରୁଜୁ କରିଛି। ଏସିପି ଟିଗାଓଁ ଅଶୋକ ବର୍ମା କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି ଏବଂ ଏକ ଉଚ୍ଚସ୍ତରୀୟ ତଦନ୍ତ ଏବଂ ଜେଲ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରକାଶ ଯୋଗ୍ୟ, ଅବଦୁଲ ରହମାନକୁ ଗତ ବର୍ଷ ମାର୍ଚ୍ଚ ମାସରେ ଫରିଦାବାଦର ପାଲି ଅଞ୍ଚଳରୁ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ATS) ଏବଂ ହରିୟାଣା ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଦ୍ୱାରା ଗିରଫ କରାଯାଇଥିଲା। ଅଯୋଧ୍ୟାର ରାମ ମନ୍ଦିର ଉପରେ ଆକ୍ରମଣ ଷଡ଼ଯନ୍ତ୍ର କରିବା ଅଭିଯୋଗରେ ସେ ଗିରଫ ହୋଇଥିଲା । ଗିରଫ ହେବା ସମୟରେ ତା ନିକଟରୁ ଏକ ଗ୍ରେନେଡ୍ ସମେତ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା ।