ନୂଆଦିଲ୍ଲୀ: ସମସ୍ତଙ୍କୁ ହସାଉଥିବା ମଣିଷ ଭିତରେ କେତେ ଯେ ଦୁଃଖ ଥାଏ କେହି କହିପାରିବେ ନାହିଁ । ସୁଖ ବେଳେ ସମସ୍ତେ ସାଥ୍ ଦିଅନ୍ତି, କିନ୍ତୁ ଦୁଃଖ ପଡ଼ିଲେ କେହି ଧରା ଦିଅନ୍ତି ନାହିଁ । ଚେକ୍ ବାଉନ୍ସ ମାମଲାରେ ତିହାର ଜେଲରେ ଆତ୍ମସମର୍ପଣ କରିଥିବା ବଲିଉଡ ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କ ଜୀବନରେ ଏମିତି ହିଁ ଘଟିଛି । ଯାହାକି ବଲିଉଡର ଆଉ ଏକ କଳା ଚେହେରାକୁ ପଦାରେ ପକାଇ ଦେଇଛି ।
ଜେଲରେ ରହିବା ପୂର୍ବରୁ ଅଧିକାରୀଙ୍କୁ ନିଜ ଦୁଃଖ କହିଛନ୍ତି ରାଜପାଲ ଯାଦବ । ରାଜପାଲ ତିହାର ଜେଲ ଅଧିକାରୀଙ୍କୁ କାନ୍ଦି କାନ୍ଦି କହିଥିଲେ, ସାର୍ କ’ଣ କରିବି ? ମୋ ପାଖରେ ଟଙ୍କା ନାହିଁ । ଆଉ କୌଣସି ଉପାୟ ବି ନାହିଁ । ଏଠି ଆମେ ସମସ୍ତେ ଏକୁଟିଆ । କେହି ସାଙ୍ଗ ମଧ୍ୟ ନାହାଁନ୍ତି । ମୋତେ ଏହି କଠିନ ସମୟ ସହିତ ଏକା ଲଢ଼ିବାକୁ ପଡ଼ିବ ।
୨୦୧୦ରେ ରାଜପାଲ ଯାଦବଙ୍କ ନିର୍ଦ୍ଦେଶିତ ଫିଲ୍ ଅତା ପତା ଲାପତା ପାଇଁ ମୂରଲୀ ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ଠାରୁ ୫ କୋଟି ଟଙ୍କା ଋଣ ଆଣିଥିଲେ । କିନ୍ତୁ ଫିଲ୍ମଟି ଭଲ ଚାଲିନଥିବାରୁ ନିର୍ମାତାଙ୍କୁ କ୍ଷତି ସହିବାକୁ ପଡ଼ିଥିଲା । ଫଳରେ ରାଜପାଲଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଆକାଉଣ୍ଟରେ ଟଙ୍କା ନ ଥିବାରୁ ଚେକ୍ ବାଉନ୍ସ ହୋଇଥିଲା । ଯେଉଁଥିପାଇଁ ଉକ୍ତ କମ୍ପାନୀ ରାଜପାଲଙ୍କ ନାମରେ ଏତଲା ଦେଇଥିଲେ ।
୨୦୧୮ ଏପ୍ରିଲରେ ମାଜିଷ୍ଟ୍ରେଟ୍ କୋର୍ଟ ରାଜପାଲ ଯାଦବ ଏବଂ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଶୁଣାଣି କରି ଦୋଷୀ ସାବ୍ୟସ୍ତ କରି ୬ ମାସ ଜେଲ ଦଣ୍ଡାଦେଶ ଦେଇଥିଲେ । ଏହା ପରେ ରାଜପାଲ ଏହାକୁ ନେଇ ଅନେକ ଆବେଦନ କରିବା ପରେ ତାଙ୍କୁ ଆଶ୍ୱସ୍ତି ମିଳିଥିଲା । କିନ୍ତୁ ଋଣ ଟଙ୍କା ବଢ଼ି ବଢ଼ି ୯ କୋଟିରେ ପହଁଚିଥିଲା ।
ସମୟ ଅନୁସାରେ ଅଭିନେତା କିଛି ଟଙ୍କ ପରିଶୋଧ କରିଥିଲେ । କିନ୍ତୁ ବାରମ୍ବାର ଟଙ୍କା ଦେବାରେ ବିଳମ୍ବ ଯୋଗୁଁ ଦିଲ୍ଲୀ ହାଇକୋର୍ଟଙ୍କ ଲାଞ୍ଛନା ସହିବାକୁ ପଡ଼ିଥିଲା । ଯେକୌଣସି ପ୍ରୋଫାଇଲରୁ ହୋଇଥାଆନ୍ତୁ ନାଁ କାହିଁକି ବାରମ୍ବାର ବାରମ୍ବାର ନରମ ହୋଇପାରିବେ ନାହିଁ ବୋଲି କୋର୍ଟ କହିଥିଲେ । ଶେଷରେ ତିହାର ଜେଲରେ ଆତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶକୁ ଅନୁପାଳନ ପୂର୍ବକ ରାଜପାଲ ତିହାର ଜେଲରେ ଆତ୍ମସମର୍ପଣ କରିଛନ୍ତି ।