ଭୁବନେଶ୍ୱର: ଆଜିଠାରୁ ସମସ୍ତ ନୋଡାଲ୍ ସେଣ୍ଟରଗୁଡ଼ିକୁ ମାଟ୍ରିକ୍ ପ୍ରଶ୍ନ ପତ୍ର ପଠାଯିବ । ପ୍ରଥମ ପର୍ଯ୍ୟାୟରେ ୫ ଟି ଜିଲ୍ଲା ମାଲକାନଗିରି, କୋରାପୁଟ, କଳାହାଣ୍ଡି, ଝାରସୁଗୁଡ଼ା ଓ ସୁନ୍ଦରଗଡ଼କୁ ପ୍ରଶ୍ନ ପତ୍ର ପଠାଯିବ । ୧୭ ତାରିଖ ସୁଦ୍ଧା ପ୍ରଶ୍ନପତ୍ର ସମସ୍ତ ନୋଡାଲ୍ ସେଣ୍ଟରରେ ପହଞ୍ଚିବ । ପରୀକ୍ଷା ଦିନ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନ ପତ୍ର ପଠାଯିବ ।
ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଶ୍ରୀକାନ୍ତ ତରାଇଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ପ୍ରଶ୍ନପତ୍ର ରଖିବା ପାଇଁ ୩୨୨ଟି ନୋଡାଲ୍ ସେଣ୍ଟର କରାଯାଇଛି । କନ୍ଧମାଳ ଏବଂ ମାଲକାନଗିରି ମାଓ ଅଧ୍ୟୁଷିତ ଜିଲ୍ଲାରେ ୧୭ଟି ଥାନାରେ ନୋଡାଲ୍ ସେଣ୍ଟର୍ କରାଯାଇଛି । ଅନୁମୋଦିତ ମାର୍ଗରେ କଡ଼ା ସୁରକ୍ଷା ଭିତରେ ପ୍ରଶ୍ନ ପତ୍ର ନୋଡାଲ ସେଣ୍ଟରରେ ପହଁଚିବ । ସମସ୍ତ ଗାଡ଼ିରେ ବୋର୍ଡର ଜଣେ କର୍ମଚାରୀ ଯିବେ । ସେହିପରି ପ୍ରଶ୍ନ ପତ୍ରର ସୁରକ୍ଷା ପାଇଁ ନୋଡାଲରେ ସେଣ୍ଟରମାନଙ୍କରେ ଲାଇଭ୍ ସିସିଟିଭି ବ୍ୟବସ୍ଥା କରାଯାଇଛି । ବୋର୍ଡ କାର୍ଯ୍ୟାଳୟରୁ ସିସିଟିଭିକୁ କଣ୍ଟ୍ରୋଲ୍ କରାଯିବ ।
ଆସନ୍ତା ୧୯ ତାରିଖରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା ଚାଲିବ । ଚଳିତ ବର୍ଷ ପରୀକ୍ଷା ପାଇଁ ମୋଟ ୫ ଲକ୍ଷ ୬୧ ହଜାର ୯୭୯ ପିଲା ଫର୍ମ ଫିଲ୍ ଅପ୍ କରିଛନ୍ତି । ରାଜ୍ୟର ୩୦୮୨ ସେଣ୍ଟରରେ ମାଟ୍ରିକ୍ ପରୀକ୍ଷା ହେବ । ଗୋଟିଏ ସିଟିଂରେ ସକାଳ ୯ ଟାରୁ ସାଢ଼େ ୧୧ଟା ଯାଏ ପରୀକ୍ଷା ଚାଲିବ ।
ସେହିପରି କପି ରୋକିବାକୁ ପ୍ରତି ପ୍ରଶ୍ନପତ୍ର ଏବଂ ଉତ୍ତର ଖାତାରେ ୱାଟର୍ ମାର୍କ ଓ କ୍ୟୁଆର୍ କୋଡ୍ ରଖାଯାଇଛି । ଯଦି ଲିକ୍ ହୁଏ ତେବେ ତାହା କେଉଁ ପିଲାର ବୋଲି ଜଣାପଡ଼ିଯିବ । ଚିନ୍ତା ମୁକ୍ତ ହୋଇ ପରୀକ୍ଷା ଦେବାକୁ ଯିବାକୁ ପିଲାଙ୍କୁ ପରାମର୍ଶ ଦେଇଛନ୍ତି ବୋର୍ଡ ସଭାପତି ।