ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ 'ବେସାମରିକ ବିମାନବନ୍ଦର ସୁରକ୍ଷା ପ୍ରଶିକ୍ଷଣ' ଶିବିର ଉଦଘାଟିତ ହୋଇଯାଇଛି। ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଆଇନ ଓ ଶୃଙ୍ଖଳା ପୋଲିସ ଏଡିଜି ସଞ୍ଜୟ କୁମାର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।
ଏହି ପ୍ରଶିକ୍ଷଣ ଶିବିର ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ଝାରସୁଗୁଡ଼ା, ରାଉରକେଲା, ଜୟପୁର (କୋରାପୁଟ) ଏବଂ ଉତ୍କେଲା (କଳାହାଣ୍ଡି) ବିମାନବନ୍ଦରରୁ ମୋଟ ୪୦ ଜଣ ପୋଲିସ ସୁରକ୍ଷା କର୍ମୀ ପ୍ରଶିକ୍ଷଣ ଗ୍ରହଣ କରିବେ ।
ଏହି ଅବସରରେ ଉଦବୋଧନ ଦେଇ ସଞ୍ଜୟ କୁମାର ପ୍ରଶିକ୍ଷାର୍ଥୀମାନଙ୍କୁ ନିଷ୍ଠାର ସହ ପ୍ରଶିକ୍ଷଣ ନେଇ ସମଗ୍ର ଦେଶରେ ଏକ ଆଦର୍ଶ ସୃଷ୍ଟି କରିବାକୁ ପରାମର୍ଶ ଦେଇଛନ୍ତି । ‘ବ୍ୟୁରୋ ଅଫ୍ ସିଭିଲ ଆଭିଏସନ ସିକ୍ୟୁରିଟି’ର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଦୀପ ବାକ୍ସଲା ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣର ବିଭିନ୍ନ ବୈଷୟିକ ଦିଗ ବିଷୟରେ ଅବଗତ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଓଡ଼ିଶା ସରକାରଙ୍କ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶିକା ଦେବଦତ୍ତା ସୁରଞ୍ଜିତା ଜେନା, ଏସପି ୟୁ.ଏସ୍. ମିଶ୍ର, ବିମାନ ଚଳାଚଳ ପରାମର୍ଶଦାତା ସୁରେଶ ଚନ୍ଦ୍ର ହୋତା ଉପସ୍ଥିତ ଥିଲେ। ଉପ-କମାଣ୍ଡେଣ୍ଟ ଲଳିତେନ୍ଦୁ ମହାନ୍ତି ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।