ପୁରୀ: ଶ୍ରୀମନ୍ଦିର ପ୍ରଶାସନ ପାଞ୍ଚୋଟି ପଞ୍ଜିକାକୁ ଅନୁମୋଦନ କରିଛି । ମଙ୍ଗଳବାର ବସିଥିବା ଦ୍ୱିତୀୟ ପଞ୍ଜିକା ସମୀକରଣ ବୈଠକରେ ୫ଟି ପାଞ୍ଜିକୁ ତ୍ରୁଟି ଶୂନ୍ୟ ବୋଲି ଘୋଷଣା କରାଯାଇଛି ।
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦ୍ୱିତୀୟ ପଞ୍ଜିକା ସମୀକରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ତ୍ରୁଟିଶୂନ୍ୟ ପଞ୍ଜିକା ଓ କ୍ୟାଲେଣ୍ଡର ପ୍ରକାଶନ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି । ବୈଠକରେ ମୁକ୍ତି ମଣ୍ଡପ ପଣ୍ଡିତ ମହାସଭା, ଛତିଶା ନିଯୋଗର ନାୟକ, କମାଣ୍ଡର, ଦେଉଳ ପୁରୋହିତ, ଦଇତାପତି ନିଯୋଗର ବରିଷ୍ଠ ସେବାୟତ ତଡ଼ଉକରଣ ପ୍ରମୁଖ ଉପସ୍ଥିତିରେ ଆଲୋଚନା ହୋଇଛି । ପାଣ୍ଡୁଲିପି ଉପସ୍ଥାପନ କରିଥିବା ୫ଟି ପଞ୍ଜିକା ଶ୍ରୀରାଧାରମଣ, କୋହେନୂର, ଖଡ଼ିରତ୍ନ, ଜିଏନ୍ ତ୍ରିପାଠୀ ଓ ଭାଗ୍ୟଦୀପର ନୀତି ପ୍ରଶାସକ ସ୍ତରରେ ତର୍ଜମା କରାଯାଇଛି । ଏହି ସମସ୍ତ ପଞ୍ଜିକାର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ସମସ୍ତ ପଞ୍ଜିକାକୁ ତ୍ରୁଟିଶୂନ୍ୟ କରାଯାଇ ବୈଠକରେ ଗୃହୀତ କରାଯାଇଛି । ଏମାନେ ପୂର୍ବ ବୈଠକରେ ମଧ୍ୟ ଉପସ୍ଥିତ ରହିଥିଲେ । ମାତ୍ର ଶ୍ରୀମନ୍ଦିର ନୀତିକାନ୍ତିକୁ ନେଇ କିଛିଟା ତ୍ରୁଟି ବାହାରିବା ପରେ ତାକୁ ସଂଶୋଧନ କରାଯାଇଛି । ସେହିପରି ଶ୍ରୀମନ୍ଦିର ନୀତିକାନ୍ତି ଅନୁସାରେ ସମସ୍ତେ ପର୍ବପର୍ବାଣୀ ପାଳନ କରିବେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।
ପ୍ରକାଶ ଯୋଗ୍ୟ, ଗତବର୍ଷ ପୟାଶ୍ରାଦ୍ଧ, ସରସ୍ୱତୀ ପୂଜା, କାଳୀପୂଜା, ଶିବରାତ୍ରି, ଜନ୍ମାଷ୍ଟମୀ ଇତ୍ୟାଦି ବିଭିନ୍ନ ପର୍ବପର୍ବାଣିକୁ ନେଇ ଲୋକମାନେ ଦ୍ୱନ୍ଦରେ ରହିଥିଲେ । ଭିନ୍ନ ଭିନ୍ନ ପଞ୍ଜିକାରେ ଭିନ୍ନ ତାରିଖ ରହିଥିଲା । ଗତ ଜାନୁୟାରୀ ୨୯ ତାରିଖରେ ପ୍ରଥମ ପଞ୍ଜିକା ସମୀକରଣ ବୈଠକ ବସିଥିଲା । ସେଥିରେ ରାଧାରମଣ, କୋହେନୂର, ଅରୁଣୋଦୟ, ଜି.ଏନ୍ ତ୍ରିପାଠୀ ଓ ଭାଗ୍ୟୋଦୟ ପଞ୍ଜିକାର ପାଞ୍ଜିକାରମାନେ ଉପସ୍ଥିତ ରହି ସେମାନଙ୍କ ପାଣ୍ଡୁଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିଥିଲେ । ବାରମ୍ବାର ଆଗୁଆ ପାଞ୍ଜି ପ୍ରକାଶ କରୁଥିବା ପ୍ରକାଶନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା ।