କଟକ: ପ୍ରଦୂଷଣ ପ୍ରମାଣପତ୍ର ପାଇବାକୁ ହେଲେ ବକେୟା ଚାଲାଣ ପୈଠ କରିବାକୁ ହେବ। ମଙ୍ଗଳବାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବା ସହିତ ଏ ସମ୍ପର୍କୀତ ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ। ସେଣ୍ଟ୍ରାଲ ମୋଟର ଭେହିକିଲ ରୁଲ୍ ୧୬୭ ସବ୍ କ୍ଲଚ୍ ୧୨ ଅନୁସାରେ ବକେୟା ଚାଲାଣ ଥିଲେ PUCC ପାଇଁ ଆବେଦନ କରିହେବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।
ଗତ ୨୭ ଜାନୁଆରୀରେ ହାଇକୋର୍ଟ ଯେଉଁ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ, ସେହି ମୁତାବକ PUCC ନଥିଲେ ପେଟ୍ରୋଲ ମିଳିବା ନେଇ ଜାରି ହୋଇଥିବା କଟକଣା କାର୍ଯ୍ୟକାରୀ ହୋଇନଥିଲା। କିନ୍ତୁ ନିକଟରେ ପରିବହନ ବିଭାଗ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଛି। ଯେଉଁଥିରେ ସଂଶୋଧିତ ମୋଟର ଭେହିକଲ ରୁଲ ବାବଦରେ କୋର୍ଟଙ୍କୁ ଅବଗତ କରାଯାଇଛି। ଯାହା ସମ୍ପର୍କରେ ଆଜି ଆଡ଼ଭୋକେଟ ଜେନେରାଲ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ। ହାଇକୋର୍ଟ ଏହାକୁ ଗ୍ରହଣ କରିବା ସହିତ ଦାୟର ଜନସ୍ୱାର୍ଥ ମାମଲା ଉପରେ ଆଜି ପୂର୍ଣ୍ଣଛେଦ ଟାଣିଛନ୍ତି।
ଗତ ଡିସେମ୍ବର ୨୦ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ ଥିଲା ଯେ, ଗାଡି ମାଲିକଙ୍କ PUCC ନଥିଲେ ତାଙ୍କୁ ପେଟ୍ରୋଲ କି ଡିଜେଲ ମନା। ଏନେଇ ବିଭିନ୍ନ ତୈଳ ବିକ୍ରୟକାରୀ କମ୍ପାନୀକୁ ଲେଖାଯାଇଥିବା ଚିଠିକୁ ବିରୋଧ କରି ହାଇକୋର୍ଟରେ ଦାୟର ହୋଇଥିଲା ଜନସ୍ୱାର୍ଥ ମାମଲା। ମୋଟର ଯାନ ଆଇନ ୧୯୮୮ ଓ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ ୧୯୮୯ ଉଲଂଘନ କରି ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ଜନସ୍ୱାର୍ଥ ମମାଲାରେ ଉଲ୍ଲେଖ କରାଯାଇଥିଲା। ଗାଡିର PUCC ପ୍ରମାଣପତ୍ର ନଥିବା ଯାନ ମାଲିକଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ବିକ୍ରୟ ନକରିବା ଗାଡି ମାଲିକଙ୍କର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଥିବା କୋର୍ଟକୁ ଦର୍ଶାଇଥିଲେ ଆବଦେନକାରୀଙ୍କ ଓକିଲ। ଏଥିସହିତ ଗାଡିର ପ୍ରଦୂଷଣ ପରୀକ୍ଷା ପୂର୍ବରୁ କୌଣସି ଚାଲାଣ ନଥିବା ନେଇ ଯେଉଁ ସର୍ତ୍ତ ଧାର୍ଯ୍ୟ କରାଯାଇଥିଲା ତାହା ବେଆଇନ ବୋଲି ଆବେଦନକାରୀ ଦର୍ଶାଇଥିଲେ।
ଅଧିକ ପଢନ୍ତୁ: ରାଜସ୍ୱ ଅଧିକାରୀଙ୍କୁ ସଚିବଙ୍କ ୧୦ ନିର୍ଦ୍ଦେଶ: ଦୁର୍ନୀତି ଏବଂ ନିଶାକୁ ନାଁ