ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ପାରଦ। ଏଥିପାଇଁ ତାତି ବଢିବା ସହିତ କମିବାରେ ଲାଗିଛି ଶୀତ। ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ସାମାନ୍ୟ ଥଣ୍ଡା ଅନୁଭୁତ ହେଉଥିବା ବେଳେ ଅପରାହ୍ନରେ ଗରମ ଅନୁଭୁତ ହେଉଛି। ମଙ୍ଗଳବାର ରାତିରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇ ଥିବାବେଳେ ରାଉରକେଲାରେ ୯.୧, ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ, ସୁନ୍ଦରଗଡ଼ ଓ ନବରଙ୍ଗପୁରରେ ୧୦.୬ ଡିଗ୍ରୀ ରହିଛି। ଏପରିକି ରାୟଗଡ଼ା, ସୋନପୁର, କୋରାପୁଟ, ଢ଼େଙ୍କାନାଳ, ବାରିପଦା, କେନ୍ଦୁଝର, ତାଳଚେରରେ ପାରଦ ୧୨ରୁ ୧୩ ଡିଗ୍ରୀ ମଧ୍ୟରେ ରହିଥିଲା ।
ସେହିପରି ଆଗାମୀ ୩ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ହୋଇପାରେ। ଯାହାଫଳରେ ରାତି ତାପମାତ୍ରା ୨୦ ଡିଗ୍ରି ମଧ୍ୟରେ ରହିବ ବୋଲି ସୂଚନା ରହିଛି। ଭୁବନେଶ୍ୱର , କଟକ ,ଭଦ୍ରକ, ଜଗତ୍ସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଜିଲ୍ଲାରେ କିଛି ପରିମାଣର ତାପମାତ୍ରା ବୃଦ୍ଧି ପାଇ ପାରେ। ଏପରିକି ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଅନୁମାନ କରାଯାଇଛି। ତେବେ ଚଳିତ ବର୍ଷ ଶୀତ ପରି ମଧ୍ୟ ମାତ୍ରାଧିକ ଗରମ ଅନୁଭବ କରିବେ ଓଡ଼ିଶାବାସୀ।