ଭୁବନେଶ୍ୱର: ଆସନ୍ତାକାଲି ଭାରତ ବନ୍ଦ ରହିବ । ଦେଶର ୧୦ଟି ଟ୍ରେଡ୍ ୟୁନିଅନ୍ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ତେଣୁ ଆସନ୍ତାକାଲି ବ୍ୟାଙ୍କ ସେବା, ସରକାରୀ କାର୍ଯ୍ୟକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ପରିବହନ ସେବା ଏବଂ ବଜାର ଗୁରୁତର ଭାବେ ପ୍ରଭାବିତ ହେବାର ଅନୁମାନ କରାଯାଉଛି ।
କେନ୍ଦ୍ର ସରକାର ନୂତନ ଶ୍ରମ ଆଇନକୁ ବିରୋଧ କରି ଆନ୍ଦୋଳନର ଡାକରା ଦିଆଯାଇଛି । ଏହି ନୂତନ ଶ୍ରମ ଆଇନ ଦ୍ୱାରା କର୍ମଚାରୀଙ୍କ ଅଧିକାର କ୍ଷୁର୍ଣ୍ଣ ହେବା ସହିତ ନିଯୁକ୍ତି ସୁରକ୍ଷା ମଧ୍ୟ ହ୍ରାସ ପାଇବ । ଏହା କର୍ମଚାରୀଙ୍କୁ ନିଯୁକ୍ତି ଏବଂ ବହିଷ୍କାର କରିବାକୁ ନିଯୁକ୍ତିଦାତାଙ୍କୁ ଅଧିକ ସହାୟକ ହେବ । ତତ ସହିତ କର୍ମଚାରୀଙ୍କ ଦରମା ଏବଂ ସାମାଜିକ ସୁରକ୍ଷାକୁ ନେଇ ଅଭିଯୋଗ କରିଛନ୍ତି । ଆଇଏନଟିୟୁସି, ଏଆଇଟିୟୁସି, ଏଚ୍ଏମ୍ଏସ୍, ସିଆଇଟିୟୁ, ଏଆଇୟୁଟିୟୁସି, ଟିୟୁସିସି, ସେୱା, ଏଆଇସିସିଟିୟୁ, ଏଲପିଏଫ୍ ଏବଂ ୟୁଟିୟୁସି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଟ୍ରେଡ୍ ୟୁନିଅନର ଏହି ବନ୍ଦ ଡାକରାକୁ କୃଷକ ସଂଘ ମଧ୍ୟ ସମର୍ଥନ ଜଣାଇଛି । ବନ୍ଦ ପାଳନରେ ୩୦ କୋଟିରୁ ଉର୍ଦ୍ଧ୍ୱ ଶ୍ରମିକ ସାମିଲ ହେବେ ବୋଲି କୁହାଯାଉଛି ।
ଓଡ଼ିଶାରେ କଂଗ୍ରେସ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ ଦେଇଛି । ବନ୍ଦ ଡାକରା ଯୋଗୁଁ ବ୍ୟାଙ୍କ୍ ସେବା ପ୍ରଭାବିତ ହୋଇପାରେ । ତତସହିତ ପରିବହନ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ଗୁରୁତର ପ୍ରଭାବିତ ହୋଇପାରନ୍ତି । ବିଶେଷ କରି ସହରାଞ୍ଚଳରେ ବନ୍ଦର ପ୍ରଭାବ ରହିପାରେ । ତେବେ ଏହି ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି । ସମସ୍ତ ମେଡ଼ିକାଲ ଖୋଲା ରହିବ ।