ଅଦାଲତ ଅବମାନନା ମାମଲାରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ। ପୁଲିସ କୁଳପତିଙ୍କୁ ଅଦାଲତ ଅବମାନନା ମାମଲାର ନୋଟିସ ପ୍ରଦାନ କରିବା ସହିତ କାର୍ଯ୍ୟକାରୀ ରିପୋର୍ଟ ହାଇକୋର୍ଟରେ ଦାଖଲ କରିବାକୁ କହିଛି। ଏଥିରେ ଅବହେଳା ହେଲେ ଶୃଙ୍ଖଳାଗତ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇପାରେ ବୋଲି କହିଛନ୍ତି ହାଇକୋର୍ଟ। ଏଥିସହ ଫେବ୍ରୁଆରି ୨୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁରଲୀଧର ସ୍ୱାଇଁଙ୍କ ତରଫରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପାଳନ ନ କରିବା ଅଦାଲତ ଅବମାନନା ଆଇନ, ୧୯୭୧ର ଧାରା ୧୧ ଓ ୧୨, ସମ୍ବିଧାନର ଅନୁଚ୍ଛେଦ ୨୧୫ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ। ଏଥିପାଇଁ ଜେଲ୍ଦଣ୍ଡ ସହ ବ୍ୟକ୍ତିଗତ ଭାବେ ହାଜର ହେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇପାରେ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି।
ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ସିନିୟର ଆସିଷ୍ଟାଣ୍ଟ ତଥା ଆବେଦନକାରୀଙ୍କୁ ପିଛିଲା ତାରିଖରୁ ପଦୋନ୍ନତି, ୧୨ ପ୍ରତିଶତ ବାର୍ଷିକ ସୁଧ ସହିତ ବକେୟା ପ୍ରାପ୍ୟ ପ୍ରଦାନ ସପକ୍ଷରେ ୨୦୨୫ ଅକ୍ଟୋବରରେ ହାଇକୋର୍ଟ ରାୟ ଦେଇଥିଲେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀରେ ଅବହେଳା ଅଭିଯୋଗ କରି ଆବେଦନକାରୀ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି।
ଅଧିକ ପଢନ୍ତୁ: PUCC ପାଇଁ ବକେୟା ଚାଲାଣ ପୈଠ ବାଧ୍ୟତାମୂଳକ: ହାଇକୋର୍ଟ