କଟକ: କଟକ ବାରବାଟୀ ଷ୍ଟାଡିୟମ ପାଖ ଫୁଡ୍ କୋଟ୍ ନିର୍ମାଣକୁ ଦୀର୍ଘ ଦୁଇ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏ ଯାଏ ଖୋଲି ପାରୁ ନାହିଁ । କଟକ ମହାନଗର ନିଗମର ଅପାରଗତା ଜଳ ଜଳ ହୋଇ ଦିଶୁଛି । ଯାହାକୁ ନେଇ ସିଏମସି ମେୟର ଏବଂ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ।
ବିଧାୟିକା ସୋଫିଆ କହିଛନ୍ତି ଯେ ୨୦୨୪ ରେ ଫୁଡ୍ କୋଟ୍ ନିର୍ମାଣ ଶେଷ ହୋଇଥିଲା । ବାରମ୍ବାର କହିବା ପରେ ମଧ୍ୟ ଉଦଘାଟନ ହୋଇପାରିନଥିଲା । ନୂତନ ସରକାର ଆସିବା ପରେ ମନ୍ତ୍ରୀ ଆସି ଉଦଘାଟନ କରିଥିଲେ । କିନ୍ତୁ ଉଦଘାଟନକୁ ୬ ମାସ ବିତି ଯାଇଥିଲେ ସୁଦ୍ଧା ତଥାପି ଫୁଡ୍ କୋଟ୍ ଖୋଲିପାରିଲା ନାହିଁ । ଯେଉଁଥିରେ ସିଏମସିର ଅପାରଗତା ଜଳ ଜଳ ହୋଇ ଦିଶୁଛି । କେଉଁ ସ୍ୱାର୍ଥରେ ମେୟର ଏହାକୁ ଖୋଲି ପାରୁ ନାହାଁନ୍ତି ତାକୁ ନେଇ ସେ ପ୍ରଶ୍ନ କରିଛନ୍ତି । ଅଧିକାରୀମାନେ ମଧ୍ୟ ସରକାରଙ୍କୁ ଖାତିର କରୁ ନାହାଁନ୍ତି । ଫୁଡ୍ କୋଟ୍ ନ ଖୋଲିବାରୁ ଏହା ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ପାଲଟିଛି ।
ସୋଫିଆ କହିଛନ୍ତି ଯେ ସେ ଏ ପ୍ରସଙ୍ଗ ବିଧାନସଭାରେ ଉଠାଇବା ସହିତ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବେ । ମାସେ ଭିତରେ ଲୋକମାନଙ୍କୁ ଲଟେରୀ ମାଧ୍ୟମରେ ବଣ୍ଟନ କରିବାକୁ ସେ ଦାବି କରିଛନ୍ତି । ଯଦି ସମୟ ଭିତରେ ନ ଖୋଲିବ ତେବେ ଆଗାମୀ ଦିନରେ ବିଭିନ୍ନ ବ୍ୟବସାୟୀ ସଂଘକୁ ନେଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସୋଫିଆ ଚେତାବନୀ ଦେଇଛନ୍ତି ।