ମୟୂରଭଞ୍ଜ: ଏକାଠି ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନଦେଖିଲେ ରହି ପାରୁ ନଥିଲେ। ଦୁଇ ଭାଇଙ୍କ ଭଲ ପାଇବା ଦେଖି ସହିପାରିଲାନି ନିଷ୍ଠୁର ବିଧାତା। ଶେଷରେ ସାନ ଭାଇର ମୃତ୍ୟୁ ଖବର ଶୁଣି ବଡ଼ ଭାଇ ବି ଆଖି ବୁଜି ଦେଇଛି। ଏଭଳି ଦୁଃଖଦ ଘଟଣା ଘଟଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଧି ବଳଦିଆ ଗ୍ରାମରେ।
ଗାଁରେ ଲସ ଟୁଡୁଙ୍କ ସାନ ପୁଅ ଲୁକାଇଙ୍କ ଟୁଡୁ ଗତକାଲି ମଙ୍ଗଳବାର ଦିନ ପୂର୍ବାହ୍ନ ୧୧ଟାରେ ନୂଆଗାଁ ପେଟ୍ରୋଲ ପମ୍ପ ନିକଟରେ ବାଇକ ଦୁର୍ଘଟଣାରେ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ, ତେବେ ବିଳମ୍ବିତ ରାତିରେ ସେ ମୃତ୍ୟୁବରଣ କରିଥିଲେ। ଅନ୍ୟପଟେ ସାନ ଭାଇର ମୃତ୍ୟୁ ଖବର ପାଇ ଘରେ ଥିବା ବଡ଼ ଭାଇ ପାଲୁ ଟୁଡୁ ଦୁଃଖରେ ମ୍ରିୟମାଣ ହୋଇ ଭାଙ୍ଗି ପଡ଼ିଥିଲେ ଏବଂ ହୃଦଘାତରେ ପାଲୁଙ୍କର ମଧ୍ୟ ମୃତ୍ୟୁ ହୋଇଛି।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୁଃଖର ଛାୟା ଖେଳି ଯାଇଥିବା ବେଳେ ପରିବାର ଲୋକେ ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି। ମୃତ୍ୟବରଣ କରିଥିବା ସାନ ଭାଇ ଲୁକାଇ ଅବିବାହିତ ଥିବା ବେଳେ ବଡ଼ ଭାଇ ପାଲୁଙ୍କ ସ୍ତ୍ରୀ ମମିତା ଏବଂ ତାଙ୍କର ଦୁଇ ଝିଅ ଅସହାୟ ହୋଇ ପଡିଛନ୍ତି। ଦୁଇ ଝିଅଙ୍କ ମଧ୍ୟରୁ ଜଣେ ତୃତୀୟ ଏବଂ ଅନ୍ୟ ଜଣେ ଚତୁର୍ଥ ଶ୍ରେଣୀରେ ପଢୁଛନ୍ତି। ତେଣୁ ଏମାନଙ୍କ ପଢିବା ବ୍ୟବସ୍ଥା କରିବା ସହିତ ସହାୟତା ପାଇଁ ଏବଂ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଜନସାଧାରଣରେ ଦାବି ହୋଇଛି। ଦିନ ମଜୁରିଆ ଭାବେ କାମ କରି ପେଟ ପୋଷୁଥିବା ଏହି ପରିବାରର ଏପରି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ସମାଜସେବୀ ଅଞ୍ଜନ ନାୟକ ଓ ଅଜୟ ବେହେରା ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଜଣାପଡ଼ିଛି।
ଅଧିକ ପଢନ୍ତୁ: କୋଟିପତି କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ; ସରକାରୀ ଟଙ୍କାରେ ଗଢିଥିଲେ କଳା ସାମ୍ରାଜ୍ୟ, ନିଜ ଦରମା ବଢ଼ାଇ ରାଜକୋଷରୁ ଲୁଟି ନେଇଥିଲେ...