ଅନୁଗୁଳ: ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା ଅନୁଗୁଳ ଜିଲ୍ଲା ସିଡିଏମଓ କାର୍ଯ୍ୟାଳୟର କନିଷ୍ଠ ସହାୟକଙ୍କ ସୁବ୍ରତ ବେହେରାଙ୍କର ପୁଳା ପୁଳା ସମ୍ପତ୍ତି ଠାବ ହୋଇଛି । ସରକାରୀ ଅର୍ଥକୁ ଆତ୍ମସାତ୍ କରି ଗଢ଼ିଛନ୍ତି ଆରାମ ଦାୟକ ଦାମୀ କୋଠା ଏବଂ ରଖିଛନ୍ତି ପୁଳା ପୁଳା ସୁନା ।
ଅନୁଗୁଳ ଜିଲ୍ଲା ସିଡିଏମ୍ଓ କାର୍ଯ୍ୟାଳୟର କନିଷ୍ଠ ସହାୟକ ସୁବ୍ରତ କୁମାର ବେହେରା ୨ କୋଟି ୩୮ ଲକ୍ଷ ସରକାରୀ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଥିଲା । ଏହା ପରେ ଭିଜିଲାନ୍ସ ଚଢ଼ଉ କରିଛି । ଆଜି ସକାଳୁ ସୁବ୍ରତ ବେହେରାଙ୍କର ୫ ଟି ଠିକଣାରେ ଚଢ଼ଉ କରାଯାଇଥିଲା । ଅନୁଗୁଳ, ଢେଙ୍କାନାଳ ଏବଂ ଭୁବନେଶ୍ୱରରେ ଭିଜିଲାନ୍ସ ଟିମ୍ ଯାଞ୍ଚ କରିଛି । ନାଲକୋ ନଗର ଥାନା ଅଧିନସ୍ଥ ବୋଣ୍ଡା ଗ୍ରାମରେ ଥିବା ସମ୍ପର୍କୀୟଙ୍କ ଘର, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲାକ୍ ବାଁଉଶପୋଖରୀ ଗ୍ରାମରେ ଥିବା ପୈତୃକ ବାସଭବନ, ଭୁବନେଶ୍ୱର ଶ୍ରୀବିହାରରେ ଥିବା ସମ୍ପର୍କୀୟଙ୍କ ଭଡ଼ା ଘର ଏବଂ ଅନୁଗୁଳ ସିଡଏମ୍ଓ କାର୍ଯ୍ୟାଳୟରେ ଥିବା ଅଫିସ୍ ରୁମରେ ଚଢ଼ଉ ହୋଇଛି । ଯାଞ୍ଚବେଳେ ପୁଳା ପୁଳା ସମ୍ପତ୍ତି ଲାଗିଛି । ଅନୁଗୁଳ ଟାଉନ ହାକିମପଡ଼ାରେ ଥିବା ୪୫୦୦ ବର୍ଗ ଫୁଟରେ ତିନି ମହଲା କୋଠା, ୪୫୦ ଗ୍ରାମ ସୁନା ଅଳଙ୍କାର, ସ୍କୋଡା କମ୍ପାନୀର ଦାମୀ କାର, ୩ଟି ଦୁଇ ଚକିଆ ଯାନ ଓ ବ୍ୟାଙ୍କ ପାସ ବୁକ୍, ଡାକ ଜମା ଏବଂ ଅନ୍ୟାନ୍ୟ ଜମା ରାଶି ମିଳିଛି । ଖବର ଲେଖାଯିବା ବେଳେକୁ ସମ୍ପତ୍ତିର ଆକଳନ କରାଯାଇନଥିଲା । ଏହି ଚଢ଼ଉରେ ଭିଜିଲାନ୍ସ ବିଭାଗର ୫ ଜଣ ଡିଏସପି, ୮ ଇନସ୍ପେକ୍ଟର, ୧୪ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।
ଶ୍ରୀ ବେହେରା ୨୦୧୧ ରୁ ୨୦୧୭ ମସିହା, ମାତ୍ର ୬ ବର୍ଷ ମଧ୍ୟରେ ତାଙ୍କ ଦରମାରୁ ଅଧିକ ଟଙ୍କା ଉଠାଇ ୨.୩୮ କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ସେହି ଟଙ୍କା ଏସବିଆଇର ଅନୁଗୁଳ ଶାଖାର ପରିଚାଳିତ ଦରମା ଆକାଉଣ୍ଟରେ ଜମା କରାଯାଇଛି । ଏହି ଟଙ୍କା ହଡ଼ପ କରିବା ପରେ ସେ ଅକ୍ଟୋବର ୨୦୨୫ ରୁ ଫେରାର ଥିଲେ ।
୨୦୦୭ ସେପ୍ଟେମ୍ବର ୧୦ରେ ସୁବ୍ରତ ଆଠମଲ୍ଲିକର କାର୍ଯ୍ୟାଳୟ ଏସଡିଏମଓରେ ଜୁନିଅର ସହାୟକ ଭାବରେ ଯୋଗ ଦେଇଥିଲେ । ତାଙ୍କର ପ୍ରାରମ୍ଭିକ ମାସିକ ଦରମା ମାତ୍ର ୮,୦୦୦ ଟଙ୍କା ଥିଲା । ସେ ସେଠାରେ ଜୁନିଅର ସହାୟକ ପଦବୀରେ କାର୍ଯ୍ୟ କରୁଥିଲେ । ୨୦୦୯ ରେ ତାଙ୍କୁ ତାଳଚେରର କାର୍ଯ୍ୟାଳୟ ଏସଡିଏମଓ ଓ ୨୦୧୧ରେ ଅନୁଗୁଳର କାର୍ଯ୍ୟାଳୟ ଏସଡିଏମଓରେ ଜୁନିଅର ସହାୟକ ଭାବରେ ବଦଳି କରାଯାଇଥିଲା ।