ବ୍ରହ୍ମପୁର: ବହୁ ଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୧୫ ଅଭିଯୁକ୍ତ କୋର୍ଟରେ ହାଜର ହୋଇଛନ୍ତି। ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୧୫ ଜଣ ଅଭିଯୁକ୍ତଙ୍କୁ ଆଜି ବ୍ରହ୍ମପୁର ଜିଲ୍ଲା କୋର୍ଟରେ ହାଜର କରାଯାଇଛି। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ସାମିଲ ଥିବା ବିଜେଡି ନେତା ମଦନ ଦଳାଇ ଅସୁସ୍ଥତା କାରଣରୁ ଆଜି ଅଦାଲତରେ ହାଜର ହୋଇ ପାରିନାହାନ୍ତି। ସମସ୍ତ ଅଭିଯୁକ୍ତ ଅଦାଲତରେ ହାଜର ହୋଇନଥିବାରୁ ଜିଲ୍ଲା ଜଜ୍ ଆସନ୍ତା ୬ ତାରିଖକୁ ତାରିଖ ଘୁଞ୍ଚାଇ ଦେଇଛନ୍ତି। ପୁଣି ଥରେ ଦିନ ଧାର୍ଯ୍ୟ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦେଶ ଦେଇଛନ୍ତି କୋର୍ଟ।
ଆଗାମୀ ଦିନରେ ଏହି ମାମଲାର ବିଚାର ପ୍ରକ୍ରିୟା ଏଡିଜେ-୩ କୋର୍ଟରେ ହେବା ସହ ଚାର୍ଜଫ୍ରେମ ହୋଇ ବିଚାରଣ ଆରମ୍ଭ ହେବ ବୋଲି ଅଭିଯୁକ୍ତଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି। ତେବେ ପୂର୍ବରୁ ଏହି ମାମଲାର ଅଭିଯୁକ୍ତ ମାନେ ଅଦାଲତରେ ଜାମିନ ଆବେଦନ କରିଥିବାବେଳେ ତାହା ଖାରଜ ହୋଇଯାଇଛି।
କିଛି ଦିନ ତଳେ ଏସଡିଜେଏମ ଅଦାଲତରେ ଏହି ମାମଲାର କମିଟମେଣ୍ଟ ହୋଇ ମାମଲାଟି ଜିଲ୍ଲା ଅଦାଲତ ଅଧୀନକୁ ଆସିଥିଲା । ଏବଂ ଆଜି ସମସ୍ତ ଅଭିଯୁକ୍ତଙ୍କୁ ଜିଲା ଅଦାଲତରେ ହାଜର ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ସେହିପରି ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହୁଥିବା ୧୫ ଜଣ ଅଭିଯୁକ୍ତ ଓ ଫୁଲବାଣୀ ମଣ୍ଡଳ କାରାଗାରରେ ରହୁଥିବା ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ ଆଣି ଅଦାଲତରେ ହାଜର କରାଯାଇଥିଲା। ଆଉ ଏଥିପାଇଁ ଜିଲ୍ଲା ଅଦାଲତ ପରିସରରେ ବ୍ୟାପକ ପୁଲିସ ନିଯୁକ୍ତ କରାଯାଇଥିଲା।
ଘଟଣା ଅନୁଯାୟୀ, ଗତବର୍ଷ ଅକ୍ଟୋବର ୬ ତାରିଖରେ ବ୍ରହ୍ମପୁର ବୈକୁଣ୍ଠନଗର ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା। ଜଣେ ଜଣାଶୁଣା ଆଇନଜୀବୀ ତଥା ରାଜନୈତିକ ନେତାଙ୍କୁ ଖୁଲମ୍ଖୁଲା ହତ୍ୟା କରାଯିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପୁଲିସ ଏହି ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବ୍ୟାପକ ତଦନ୍ତ କରିବା ସହ ପ୍ରାୟ ୩୦ ହଜାର ପୃଷ୍ଠାର ଏହି ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି। ପୋଲିସ ସାର୍ପସୁଟର କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ ସମେତ ପୂର୍ବତନ ବିଧାୟକ, ପୂର୍ବତନ ମେୟର, ବିଜେଡି ନେତା ମଦନ, ବିଜେଡି କର୍ପୋରେଟର ମଳୟ ବିଷୋୟୀ, ଶୂନ୍ୟଚନ୍ଦ୍ର ଦାଶ, ସୁନୀଲ ହୋତା, ଉମା ବିଷୋୟୀ, ବିପିନ ସ୍ବାଇଁ, ସୀମାଞ୍ଚଳ ନାୟକ, କୁନ୍ଦ କୁମାର, ଶିଶୁପାଳ କୁମାର ପାଶ୍ବାନ, ଯୋଗୀ ରାଉତ, ରାଜେନ୍ଦ୍ର ସାହୁ, କାଳୁଚରଣ ଭୂୟାଁଙ୍କୁ ମିଶାଇ ସମୁଦାୟ ୧୬ ଜଣଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ୧୫ ଅଭିଯୁକ୍ତ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଓ ପିଣ୍ଟୁ ଦାସ ଫୁଲବାଣୀ ମଣ୍ଡଳ କାରାଗାରରେ ବିଚାରଧୀନ ବନ୍ଦୀ ଭାବେ ଅଛନ୍ତି। ମାମଲାର ତଦନ୍ତ ଜାରି ରହିଛି।
ଅଧିକ ପଢନ୍ତୁ: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ଆଜି କୋର୍ଟରେ ହାଜର ହେବେ ସମସ୍ତ ଅଭିଯୁକ୍ତ