ବ୍ରହ୍ମପୁର: ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ତାଙ୍କ ବିକ୍ରମ ପଣ୍ଡାଙ୍କ ଓକିଲ ବଡ଼ ଅଭିଯୋଗ ଆଣିଛନ୍ତି । ପୀତବାସଙ୍କ ସିକ୍ରେଟ ଚ୍ୟାମ୍ବରରୁ ମିଳିଥିବା ପେନଡ୍ରାଇଭ୍ କୁଆଡ଼େ ଗଲା ବୋଲି ବିକ୍ରମଙ୍କ ଓକିଲ ଦୀପକ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ତାକୁ କୋର୍ଟରେ ଦାଖଲ କରାଯାଇ ନାହିଁ ବୋଲି ଓକିଲ ଦୀପକ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।
ପୀତବାସଙ୍କ ହତ୍ୟା ପରେ ତାଙ୍କ ଦେହରେ ଥିବା ପଇତାରୁ ଗୋଟିଏ ଚାବି ମିଳିଥିଲା । ସେ ଚାବିରେ ପୀତବାସଙ୍କ ବାସଭବନରେ ଥିବା ଏକ ସିକ୍ରେଟ ଚ୍ୟାମ୍ବର ଖୋଲାଯାଇଥିଲା । ପୀତବାସଙ୍କ ପତ୍ନୀ ସୁସ୍ମିତାଙ୍କ ଉପସ୍ଥିତିରେ ଚ୍ୟାମ୍ବର ଖୋଲାଯାଇ ସେଥିରୁ ଗୋଟିଏ ପେନ୍ ଡ୍ରାଇଭ୍ ମିଳିଥିଲା । ଉକ୍ତ ପେନ୍ ଡ୍ରାଇଭ୍ ପୋଲିସ ଜବତ କରିଥିଲା । ସେଥିରେ ବିକ୍ରମ ପଣ୍ଡାଙ୍କ ଆପତ୍ତି ଜନକ ଫଟୋ ଥିବା କୁହାଯାଉଛି । ଯେଉଁଥିରେ ସେ ଜଣେ ମହିଳାଙ୍କ ସହିତ ଶୋଇଛନ୍ତି, ତା ସହିତ ମଦ ଗ୍ଲାସ୍ ମଧ୍ୟ ଥିଲା ବୋଲି ଚାର୍ଜସିଟରେ ଉଲ୍ଲେଖ କରାଯାଇଛି ।
କିନ୍ତୁ ସେହି ପେନ୍ ଡ୍ରାଇଭକୁ କାହିଁକି ପୋଲିସ କୋର୍ଟରେ ପ୍ରମାଣ ସ୍ୱରୂପ ଦାଖଲ କରି ନାହିଁ ବୋଲି ବିକ୍ରମଙ୍କ ଓକିଲ ଦାବି କରିଛନ୍ତି । ସେ କହିଛନ୍ତି ଯେ ଏଆଇରେ ଅନେକ ଫଟୋ ଆସୁଛି । ତେଣୁ ସେହି ପେନ୍ ଡ୍ରାଇଭ ଏବଂ ଫଟୋକୁ ଫରେନସିକ୍ ପରୀକ୍ଷା ପାଇଁ ପଠାଯାଉ ବୋଲି ସେ ଦାବି କରିଛନ୍ତି । ସେହି ବିକ୍ରମଙ୍କ ପକ୍ଷରୁ କୋର୍ଟରେ ଉକ୍ତ ଜବତ ସାମଗ୍ରୀର କପି ଦେବାକୁ ଆବେଦନ କରାଯାଇଛି ।