ଭୁବନେଶ୍ୱର: ଆଜି ବିଭିନ୍ନ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେଉଛି । ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କେଉଁଠି ଗାଡ଼ି ନ ପାଇ ଯାତ୍ରୀ ହନ୍ତସନ୍ତ ତ କେଉଁଠି କାର୍ଯ୍ୟାଳୟକୁ ଯିବାକୁ ହଇରାଣ ହେଉଛନ୍ତି ସରକାରୀ କର୍ମଚାରୀ । କେବଳ ଆନ୍ଦୋଳନକାରୀଙ୍କୁ ବାଦ ଦେଲେ ରାସ୍ତା ଘାଟ ଜନଶୂନ୍ୟ ହୋଇଯାଇଛି । ଭୁବନେଶ୍ୱର, କଟକ, ବାଲେଶ୍ୱର, ବାରିପଦା ଓ ସମ୍ବଲପୁର ସହରରେ ବନ୍ଦର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି ।
ସମ୍ବଲପୁର ସହରରେ ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ବୀମା କାର୍ଯ୍ୟାଳୟ, ସରକାରୀ, ବେସରକାରୀ ଅଫିସ, ବ୍ୟାଙ୍କ କାର୍ଯ୍ୟାଳୟ ଇତ୍ୟାଦି ବନ୍ଦ ଥିବା ଦେଖିବାକୁ ମିଳିଛି l ଆନ୍ଦୋଳନକାରୀମାନେ ସମ୍ବଲପୁର ସହରର ବିଭିନ୍ନ ରାସ୍ତା, ଛକରେ ପୋଷ୍ଟର ବ୍ୟାନର ଧରି ରାସ୍ତା ଅବରୋଧ କରିବା ସହ ପିକେଟିଂ କରିଛନ୍ତି l ତେବେ ମେଡିକାଲ ଷ୍ଟୋର, କ୍ଷୀର ଗାଡି, ଆମ୍ବୁଲାନ୍ସ ସହ ସମସ୍ତ ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆ ଯାଇଥିବା ଆନ୍ଦୋଳନକାରୀ କହିଛନ୍ତି l ମନରେଗା ବଞ୍ଚାଓ, ଜି ରାମ ଜି ଆଇନ କୁ ପ୍ରତ୍ୟାହାର, ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବାତିଲ, ବିଦ୍ୟୁତ ବିଲ ସଂଶୋଧନ, କୃଷକ ବିରୋଧୀ ବିଲ୍-2025 କୁ ବାତିଲ କରିବା ଦାବି ନେଇ ଏହି ଧର୍ମଘଟ କରାଯାଉଥିବା ଆନ୍ଦୋଳନକାରୀ କହିଛନ୍ତି l ଏହି ଧର୍ମଘଟକୁ କଂଗେସ ଦଳ ପକ୍ଷରୁ ସମର୍ଥନ ଦେଇଥିବା ବେଳେ ଜିଲ୍ଲାର କଂଗ୍ରେସ କର୍ମୀ ମାନେ ମଧ୍ୟ ଧର୍ମଘଟ ରେ ସାମିଲ ହୋଇଛନ୍ତି l ସେହିପରି ଏହି ଆନ୍ଦୋଳନ କୁ ପଶ୍ଚିମ ଓଡିଶା କୃଷକ ସଂଗଠନ ସମ୍ୱନ୍ମୟ ସମିତି ମଧ୍ୟ ସମର୍ଥନ କରିଛି l
ସେହିପରି ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସହର ସମେତ ଆଖପାଖ ଅଞ୍ଚଳରେ ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି। ପରିବହନ ସେବା ବାଧାପ୍ରାପ୍ତ ହୋଇଛି । ସକାଳୁ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବସଷ୍ଟାଣ୍ଡରେ ଯାତ୍ରୀମାନେ ଦୂରଦୂରାନ୍ତକୁ ଯିବା ପାଇଁ ଅପେକ୍ଷା କରି ରହିଥିବା ବେଳେ ଗାଡ଼ି ନ ମିଳିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜାତୀୟ ରାଜପଥରେ ମଧ୍ୟ ଟ୍ରକ ଚଳାଚଳ ସ୍ୱଳ୍ପ ରହିଛି । ତେବେ ଏହି ବନ୍ଦ ସମୟରେ ଲୋକାଲ ଟ୍ରେନ ଚଳାଚଳ ସ୍ୱାଭାବିକ ରହିଥିବା ଦେଖିବାକୁ ମିଳିଛି । ଶିକ୍ଷାନୁଷ୍ଠାନ ଓ ବଜାର ସ୍ଥିତି ସହରର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ସ୍କୁଲ, କଲେଜ ବନ୍ଦ ରହିଛି। ଅଫିସ ଓ କୋର୍ଟ କଚେରୀ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି। ଦୋକାନ ବଜାର ପ୍ରାୟତଃ ବନ୍ଦ ରହିଥିବା ବେଳେ କାଁ ଭାଁ କିଛି ସ୍ଥାନରେ ଛୋଟ ଦୋକାନ ଖୋଲାଥିବା ଦେଖାଯାଇଛି। ଆନ୍ଦୋଳନକାରୀମାନେ ସହରର ବିଭିନ୍ନ ପ୍ରମୁଖ ଛକରେ ଶାନ୍ତିପୂର୍ଣ୍ଣ ଭାବେ ପିକେଟିଂ କରୁଛନ୍ତି। ବନ୍ଦ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ରୋକିବା ପାଇଁ ଏବଂ ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଛକଗୁଡ଼ିକରେ ବହୁ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଛି।ବରଗଡ଼ ଗାନ୍ଧିଛକରେ ଶ୍ରମିକ ସମନ୍ମୟ ସମିତି, ଓଏସଆରୟୁ ସହ ଅନେକ ଶ୍ରମିକ ସଂଗଠନ ଏହାକୁ ସମର୍ଥନ ଜଣାଇ ବିରୋଧ ପ୍ରଦର୍ଶନ କରିଛନ୍ତି ।
ଅନ୍ୟପକ୍ଷରେ କେନ୍ଦୁଝର ଜିଲ୍ଲାରେ ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ଜିଲାରେ ବେସରକାରୀ ତଥା ସରକାରୀ ଯାତ୍ରୀବାହୀ ବସ୍ ବନ୍ଦ ଥିବା ବେଳେ, ଛୋଟ ଗାଡ଼ି ଚଳାଚଳ କରୁଛି । କିଛି ଶିକ୍ଷାନୁଷ୍ଠାନ ଖୋଲା ରହିଥିବା ବେଳେ କିଛି ସରକାରୀ ଅଫିସ ମଧ୍ୟ ଖୋଲା ରହିଛି । ବନ୍ଦ ଯୋଗୁ ଦୋକାନ ବଜାର ବନ୍ଦ ରହିଥିବା ବେଳେ, ଆନ୍ଦୋଳନକାରୀମାନେ ବୁଲି ବୁଲି ଖୋଲା ଥିବା ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଓ ପେଟ୍ରୋଲ୍ ପମ୍ପ ଆଦିକୁ ବନ୍ଦ କରିଛନ୍ତି। ଅଧିକାଂଶ ସ୍ଥାନରେ ସରକାରୀ କାର୍ଯ୍ୟାଳୟ ଖୋଲା ରହିଥିବା ଦେଖିବାକୁ ମିଳିଛି । ଜିଲ୍ଲାର ଯୋଡ଼ା , ବଡ଼ବିଲ ଓ କେନ୍ଦୁଝର ସହର ରେ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ଏହି ବନ୍ଦ ରେ ୧୦ଟି ଟ୍ରେଡ ଯୁନିୟନ ସହ କଂଗ୍ରେସ ଓ ବିଜେଡ଼ି ସାମିଲ ଅଛି ।