ଭୁବନେଶ୍ୱର: ଚର୍ଚ୍ଚିତ କିନ୍ନର ଅଞ୍ଜଳି ହତ୍ୟାକାଣ୍ଡ ମାମଲାରେ ୧୦ ଦିନ ପରେ ପିପିଲି ପୋଲିସକୁ ବଡ଼ ସଫଳତା ମିଳିଛି । ଅଭିଯୁକ୍ତକୁ ଗୋଡ଼ାଇ ଗୋଡ଼ାଇ ଏନକାଉଣ୍ଟର୍ କରିଛି ପୋଲିସ । ଅଭିଯୁକ୍ତ ଜଣକ ହେଲା ପୁରୀ ଜିଲ୍ଲା ଗଡରୁପାସର କୃଷ୍ଣ ତାଣ୍ଡି (୨୫) । ସେ ଜଣେ ପେଷାଦାର ଅପରାଧି ବୋଲି ପୋଲିସ କହିଛି । ତାକୁ ଗୁରୁତର ଅବସ୍ଥାରେ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ମୁତାବକ, କିନ୍ନର ଅଞ୍ଜଳିକୁ କୃଷ୍ଣ ତାଣ୍ଡି ତାରକା ହତ୍ୟା କରିଥିବା ନେଇ ପିପିଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା । ତାକୁ ଧରିବାକୁ ଚେଷ୍ଟା କରିଥିଲେ । କୃଷ୍ଣ ତାରାକାଜୁ ଅଞ୍ଚଳରେ ଥିବା ନେଇ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା । ମାତ୍ର ସେ ପୋଲିସ ଉପରକୁ ଗୁଳି କରି ଖସିଯିବାକୁ ଉଦ୍ୟମ କରିଥିଲା । ଏହି ସମୟରେ ପୋଲିସ ଗୋଡ଼ାଇ ଗୋଡ଼ାଇ କୃଷ୍ଣକୁ ଗୁଳି କରିଥିଲା । ଫଳରେ ତାର ଗୋଡ଼ରେ ଗୁଳି ବାଜିଥିଲା ଏବଂ ସେ ପଡ଼ିଯାଇଥିଲା । ପୋଲିସ ତାକୁ ଗୁରୁତର ଅବସ୍ଥାରେ ପ୍ରଥମେ ପିପିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ଏହା ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି।
କୃଷ୍ଣ ଜଣେ ଅଭ୍ୟାସଗତ ଅପରାଧି ଅଟେ । ବିଭିନ୍ନ ଥାନାରେ ଚୋରି ଡକାୟତି ଭଳି ଏକାଧିକ ଅପରାଧିକ ମାମଲା ରହିଛି । ଅଭିଯୁକ୍ତଠାରୁ ଗୋଟିଏ ବନ୍ଧୁକ ଓ ବାଇକ ଜବତ କରାଯାଇଥିବା ମଧ୍ୟ ପିପିଲି ଆଇଆଇସି ସୌମ୍ୟେନ୍ଦ୍ର ଶେଖର ତ୍ରିପାଠୀ କହିଛନ୍ତି ।
ଉଲ୍ଲେଖନୀୟ, ଗତ ୧ ତାରିଖରେ ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠସ୍ଥ ପିପିଲି ଥାନା ଅନ୍ତର୍ଗତ ଉତ୍ତରା ସିଫା ନିକଟରେ ସାଲେପୁର ଅଞ୍ଚଳର କିନ୍ନର ଅଞ୍ଜଳିକୁ ଛୁରୀ ଭୁସି ଅତି ନିର୍ମମଭାବେ ହତ୍ୟା କରାଯାଇଥିଲା । ଅଞ୍ଜଳି କିଛି ଦିନ ହେବ ସିଫା ନିକଟସ୍ଥ ରାସ୍ତା କଡ଼ରେ ଛିଡ଼ା ହେଉଥିଲେ । ତାଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଛୁରୀରେ ଆକ୍ରମଣ କରି ଚାଲିଯାଇଥିଲେ । ଅଞ୍ଜଳି ତାଙ୍କ ସାଥି କିନ୍ନରଙ୍କୁ ଫୋନ୍ କରି କହିଥିଲେ । ତାଙ୍କୁ ଦୁଇ ଜଣ ଛୁରୀ ଭୁସି ଦେଇଛନ୍ତି, ଏତିକି କହିବା ପରେ ଆଉ କିଛି କହିନଥିଲେ । ଖବର ପାଇ ପିପିଲି ଥାନା ପୋଲିସ ପହଁଚି ଘଟଣା ସ୍ଥଳରୁ ତାଙ୍କ ମୃତ ଅବସ୍ଥାରେ ପାଇଥିଲା । ଅଞ୍ଜଳିଙ୍କ ଘର କଟକ ଜିଲ୍ଲା ସାଲେପୁର ବ୍ଲକ ବିଶ୍ୱନାଥପୁର ଗାଁରେ । ତାଙ୍କର ପ୍ରକୃତ ନାମ ଦୀନେଶ ରାଉତ । ସେ ଜଣେ ଯୋଗ ଶିକ୍ଷକ ଭାବରେ ଜଣାଶୁଣା ଥିଲେ ।