ନୂଆଦିଲ୍ଲୀ: ଭାରତ ଓ ନାମିବ୍ୟା ମଧ୍ୟରେ ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଟି-୨୦ ବିଶ୍ୱକପ୍ ୨୦୨୬ର ୧୮ତମ ମ୍ୟାଚ୍ ଖେଳାଯିବ । ଦୁଇ ଦଳର ଏହି ବିଶ୍ୱକପରେ ଏହା ଦ୍ୱିତୀୟ ମ୍ୟାଚ୍ । ଭାରତୀୟ ଦଳ ପ୍ରଥମ ମ୍ୟାଚ୍ ଜିତିଥିବା ବେଳେ ନାମିବ୍ୟା ପରାଜିତ ହୋଇଥିଲା । ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତ ଆଜି ଏହି ମ୍ୟାଚ୍ ଜିତି ନିଜର ପ୍ରସ୍ତୁତି ଜୋରଦାର କରିବାକୁ ଚାହିଁବ । ତେବେ ଆଜିର ମ୍ୟାଚରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନର ସମ୍ଭାବନା ରହିଛି ।
ଆଜି ନାମିବ୍ୟା ବିପକ୍ଷ ମ୍ୟାଚରେ ଯଶପ୍ରୀତ ବୁମରାଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ହୋଇାପାରେ । ଆମେରିକା ବିପକ୍ଷ ପ୍ରଥମ ମ୍ୟାଚରେ ଅନଫିଟ୍ କାରଣରୁ ବୁମରା ଖେଳି ପାରି ନ ଥିଲେ । ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଥିଲା । ତେବେ ଆଜି ବୁମରା ଖେଳିଲେ ସିରାଜ କିମ୍ବା ଅର୍ଶଦୀପଙ୍କ ମଧ୍ୟରୁ ଜଣେ ବୋଲରଙ୍କୁ ବାହାରେ ବସିବାକୁ ପଡିପାରେ । ଗତ ମ୍ୟାଚରେ ମହମ୍ମଦ ସିରାଜ ଭଲ ବୋଲିଂ କରିଥିଲେ । ମାତ୍ର ଅର୍ଶଦୀପଙ୍କ ସହ ଟିମ୍ ମ୍ୟାନେଜମେଣ୍ଟ ଯାଇ ପାରନ୍ତି । ଏମିତିରେ ସିରାଜଙ୍କୁ ଆଜି ବେଞ୍ଚରେ ବସିବାକୁ ପଡିପାରେ ।
ଦ୍ୱିତୀୟ ପରିବର୍ତ୍ତନ ଭାରତର ଓପନିଂରେ ଦେଖିବାକୁ ମିଳିବ । ଅଭିଷେକ ଶର୍ମା ଅସୁସ୍ଥତା କାରଣରୁ ନାମିବ୍ୟା ବିପକ୍ଷ ମ୍ୟାଚ୍ ଖେଳିବାର ସମ୍ଭାବନା କମ ରହିଛି । ସେ ହସ୍ପିଟାଲରେ ଭର୍ତ୍ତି ଥିଲେ, ମାତ୍ର ଏବେ ଡିସଚାର୍ଜ ହୋଇ ସାରିଛନ୍ତି । ମାତ୍ର ପୂରା ଫିଟ୍ ହେବା ପାଇଁ ତାଙ୍କୁ ସମୟ ଦରକାର । ତେଣୁ ଆଜିର ମ୍ୟାଚରେ ସଞ୍ଜୁ ସାମସନ ଇନିଂସ ଓପନ କରି ପାରନ୍ତି ।
ଭାରତୀୟ ଦଳର ସମ୍ଭାବିତ ଚୂଡାନ୍ତ ଏକାଦଶ
ସଞ୍ଜୁ ସାମସନ, ଇଶାନ କିଶନ(ୱିକେଟ୍ କିପର), ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା ଓ ଅର୍ଶଦୀପ ସିଂ ।
Also read: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ତିଲକ ବର୍ମାଙ୍କ ବଡ଼ ବୟାନ