ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତ ବନାମ ପାକିସ୍ତାନ ମ୍ୟାଚକୁ ନେଇ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି । ଭାରତ ସହିତ ମ୍ୟାଚ୍ ବୟକଟର ଘୋଷଣା କରିଥିବା ପାକିସ୍ତାନ ଏବେ ୟୁଟର୍ଣ୍ଣ ନେଉଥିବା ଦେଖିବାକୁ ମିଳିଛି । ପାକିସ୍ତାନ କ୍ରିକେଟ୍ ବୋର୍ଡର ମୁଖ୍ୟ ମୋହସିନ ନକଭି ରବିବାର ଆଇସିସି ପ୍ରତିନିଧିଙ୍କ ସହ ଲାହୋରେ ବୈଠକ କରିଛନ୍ତି । ବୈଠକରେ ଭାରତ ବନାମ ପାକ୍ ମ୍ୟାଚକୁ ନେଇ ଆଲୋଚନା ହୋଇଛି । ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚ୍ ବୟକଟ ନିଷ୍ପତ୍ତି ପ୍ରତ୍ୟାହାର ବଦଳରେ କିଛି ସର୍ତ୍ତ ରଖିଛି । ଏଥିରୁ କେତେ ସର୍ତ୍ତ ପୂରା ହେବ ତାହା ଜଣା ନାହିଁ, ମାତ୍ର ଏହି ବୈଠକରୁ ସ୍ପଷ୍ଟ ହୋଇଛି ଯେ, ପାକିସ୍ତାନ କେଉଁ ସମୟରେ ବି ନିଜ ନିଷ୍ପତ୍ତି ବଦଲାଇପାରେ । ଏହି ମ୍ୟାଚକୁ ନେଇ ଯେବେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳାଙ୍କୁ ପ୍ରଶ୍ନ କରାଗଲା ସେ କହିଛନ୍ତି ଯେ, ଆଇସିସି ଯାହା କହିବ ଆମେ ତାହା କରିବୁ ।
ଏଏନଆଇ ସହ ଆଲୋଚନା ବେଳେ ରାଜୀବ ଶୁକ୍ଳା କହିଛନ୍ତି, ମୁଁ ଏସବୁ ଉପରେ କୌଣସି ଟିପ୍ପଣୀ ଦେବାକୁ ଚାହୁଁନି । ନା ବିସିସିଆଇ ପକ୍ଷରୁ କିଛି ପ୍ରତିକ୍ରିୟା ଦିଆଯିବ । ସବୁ କିଛି ଆଇସିସି ଉପରେ ଛାଡି ଦିଅନ୍ତୁ । ଆଇସିସି ଯାହା ନିର୍ଣ୍ଣୟ ନେବ ତାହା ଆମେ ମାନିବୁ । ଆଇସିସି ଯାହା ଜଣାଇବ ତାହା ଆମେ କରିବୁ । ଏବେ ଆମର ଧ୍ୟାନ ପରବର୍ତ୍ତୀ ମ୍ୟାଚ୍ ଉପରେ ରହିଛି । ଉଲ୍ଲେଖନୀୟ ଭାରତ ନିଜର ଦ୍ୱିତୀୟ ମ୍ୟାଚ୍ ପାଇଁ ଦିଲ୍ଲୀ ପହଞ୍ଚି ଯାଇଛି । ରବିବାର ରାତିରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଭାରତୀୟ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ଡିନରର ବ୍ୟବସ୍ଥା କରିଥିଲେ । ଏଥିରେ ରାଜୀବ ଶୁକ୍ଲା ମଧ୍ୟ ସାମିଲ୍ ହେଇଥିଲେ ।
ପାକିସ୍ତାନର ତିନୋଟି ସର୍ତ୍ତ
ଆଇସିସିର ରାଜସ୍ୱ ଅଂଶରେ ପାକିସ୍ତାନର ଅଂଶ ବୃଦ୍ଧି କରାଯିବା ଉଚିତ। ପାକିସ୍ତାନ ଚାହୁଁଛି ଯେ ବାର୍ଷିକ ଆଇସିସି ରାଜସ୍ୱ ଅଂଶରେ ପାକିସ୍ତାନର ଅଂଶ ବୃଦ୍ଧି କରାଯାଉ।
ଆଇସିସି ଭାରତ ସହିତ ଦ୍ୱିପାକ୍ଷିକ ସିରିଜ୍ ପୁନରାରମ୍ଭ କରିବା ପାଇଁ ବିସିସିଆଇ ଉପରେ ଚାପ ପକାଇବା ଉଚିତ। ୨୦୧୩ ପରଠାରୁ ଭାରତ ଏବଂ ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ୍ ଖେଳି ନାହାଁନ୍ତି। ତେଣୁ, ସିରିଜ୍ ପୁନଃଆରମ୍ଭ କରାଯିବା ଉଚିତ।
ପଡ଼ିଆରେ ହାତ ମିଳାଇବା ପ୍ରୋଟୋକଲ୍ ବାଧ୍ୟତାମୂଳକ କରାଯିବା ଉଚିତ। ଯଦିଓ ଆଇସିସି ଏହାକୁ ବ୍ୟକ୍ତିଗତ ଦଳ ପାଇଁ ଏକ ନିଷ୍ପତ୍ତି ଭାବରେ ବର୍ଣ୍ଣନା କରିଛି। ପୂର୍ବରୁ ପାକିସ୍ତାନ ସରକାରୀ ନିର୍ଦ୍ଦେଶନାମାକୁ ଉଦ୍ଧୃତ କରି ଫୋର୍ସ ମାଜିୟୁର ଧାରା ବ୍ୟବହାର କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଆଇସିସି ଏହାକୁ କେବଳ ରାଜନୈତିକ ପସନ୍ଦର ବିଷୟ ବୋଲି କହି ଏହାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଥିଲା।
Also read: ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ଟିମ୍ ଇଣ୍ଡିଆରେ ମିଳୁ ସଚିନଙ୍କ ପରି ଟ୍ରିଟମେଣ୍ଟ: ଶଶି ଥରୁର