ନୂଆଦିଲ୍ଲୀ: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର । ଟି-୨୦ ବିଶ୍ୱକପରେ ଭାରତ ସହିତ ମ୍ୟାଚ୍ ନ ଖେଳିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି ପାକିସ୍ତାନ ସରକାର । ଏହା ସହିତ ବିଗତ କିଛି ଦିନ ଧରି ଜାରି ହାଇଡ୍ରାମା ଉପରେ ପୂର୍ଣ୍ଣଛେଦ ପଡିଛି । ଫେବୃଆରୀ ୧୫ରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ୍ ମ୍ୟାଚ୍ ହେବାକୁ ଯାଉଛି । ପାକିସ୍ତାନ ସରକାରଙ୍କ ପକ୍ଷରୁ ଜନୈକ ଅଧିକାରୀ ପିଟିଆଇକୁ ଏହି ଖବର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଶ୍ରୀଲଙ୍କା ଓ ବାଂଲାଦେଶରୁ ଫୋନ ଆସିଥିଲା । ଏହା ପରେ ଶେହବାଜ ସରିଫ ମ୍ୟାଚ୍ ବହିଷ୍କାର ନିଷ୍ପତ୍ତି ପ୍ରତ୍ୟାହାର କରିବା ଦୁଇ ଦେଶର ଅନୁରୋଧକୁ ମାନି ନେଇଛନ୍ତି ।
ଏହା ପୂର୍ବରୁ ବାଂଲାଦେଶ କ୍ରିକେଟ୍ ବୋର୍ଡର ପ୍ରମୁଖ ଅମୀନୁଲ ଇସଲାମ ବୟାନ ଜାରି କରି କ୍ରୀଡା ଉନ୍ନତି ପାଇଁ ପାକିସ୍ତାନକୁ ଭାରତ ବିପକ୍ଷ ମ୍ୟାଚ୍ ଖେଳିବାକୁ ଅନୁରୋଧ କରିଥିଲା । ଏହା ପରେ ସ୍ପଷ୍ଟ ହୋଇ ଯାଇଥିଲା ଯେ, ପାକିସ୍ତାନ ଏହି ହାଇଭୋଲଟେଜ୍ ମ୍ୟାଚ୍ ଖେଳିବାକୁ ଯାଉଛି । ଏହା ପୂର୍ବରୁ ସୋମବାର ପିସିବି ମୁଖ୍ୟ ମୋହସିନ ନକଭି ମଧ୍ୟ କହିଥିଲେ ଯେ, ଏହି ପ୍ରସଙ୍ଗରେ ଆନୁଷ୍ଠାନିକ ନିଷ୍ପତ୍ତି ୨୪ ଘଣ୍ଟା ଭିତରେ ନିଆଯିବ ।
ଅମୀନୁଲ ଇସଲାମଙ୍କ ସହ ଆଇସିସିର ଆଲୋଚନାକୁ ସ୍ୱୀକାର କରି ସାମ୍ବାଦିକ ସମ୍ମିଳନୀରେ ନକଭି କହିଥିଲେ ଯେ, ପିସିବି ଆଇସିସି ଓ ବିସିବି ପକ୍ଷରୁ କିଛି ପ୍ରସଙ୍ଗରେ ଜବାବର ଅପେକ୍ଷା କରିଛି । ଏହା ପରେ ବୋର୍ଡ ଫେବୃଆରୀ ୧୫ ମ୍ୟାଚକୁ ନେଇ ବଡ ନିଷ୍ପତ୍ତି ନେବ । ଆଉ ଏବେ ପାକିସ୍ତାନ ନିଜ ନିଷ୍ପତ୍ତିରୁ ଓହରିଛି ।
ମିଡିଆ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଶ୍ରୀଲଙ୍କାର ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେଙ୍କ ଫୋନ ଆସିଥିଲା । ଶ୍ରୀଲଙ୍କା ରାଷ୍ଟ୍ରପତି ମ୍ୟାଚ୍ ବହିଷ୍କାର ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ । ଆଉ ସରିଫ ଆଶ୍ୱାସନ ଦେଇଛନ୍ତି ଯେ, ପାକିସ୍ତାନ ଦଳ ଭାରତ ସହିତ ମ୍ୟାଚ୍ ଖେଳିବ । ସଦ୍ୟତମ ଖବର ଅନୁଯାୟୀ, ପାକିସ୍ତାନ ସରକାର ନିଜ ଦଳକୁ ଫେବୃଆରୀ ୧୫ରେ ଭାରତ ବିପକ୍ଷ ମ୍ୟାଚ୍ ଖେଳିବାକୁ ସବୁଜ ସଙ୍କେତ ଦେଇଛନ୍ତି ।
Also read: ବିସିସିଆଇ ଜାରି କଲା କେନ୍ଦ୍ରୀୟ ଚୁକ୍ତି, ବିରାଟ-ରୋହିତଙ୍କ ଡିମୋସନ, କେବଳ ୩ ଖେଳାଳିଙ୍କୁ ମିଳିଲା ଗ୍ରେଡ ଏ