କେନ୍ଦୁଝର : ନକଲି ବିଇଡି ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି କରିଥିବା ନକଲି ଶିକ୍ଷକ ଶେଷରେ ବିଦା ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଗୋଳାବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ସେଠୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି ।
୨୦୧୭ ମସିହାରେ ପ୍ରଶାନ୍ତ ସେଠୀ ଗୋଳାବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯୋଗ ଦେଇଥିଲେ । ଶିକ୍ଷକ ପ୍ରଶାନ୍ତ କୁମାର ସେଠୀ ଜାଲ୍ ବିଇଡି ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଅଭିଯୋଗ ହୋଇଥିଲା । ଏହା ସହିତ ତାଙ୍କ ବିରୋଧରେ ଘଟଗାଁ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଶିକ୍ଷା ବିଭାଗ ପକ୍ଷରୁ ତାଙ୍କ ବିରୁଦ୍ଧରେ ଯାଞ୍ଚ କରାଯାଇଥିଲା । ପ୍ରଶାନ୍ତ ବିଇଡି ପରୀକ୍ଷା ଦେଇଥିଲେ କିନ୍ତୁ ଫେଲ୍ ହୋଇଥିଲେ । ଶେଷରେ ଏକ ନକଲି ସାର୍ଟିଫିକେଟ୍ ବାହାର କରି ଚାକିରିରେ ଯୋଗ ଦେଇଥିଲେ । ସରକାରୀ ନିୟମ ଅନୁସାରେ ମାସକୁ ମାସ ଦରମା ମଧ୍ୟ ନେଉଥିଲେ । ଯାଞ୍ଚ ବେଳେ ଅଭିଯୋଗ ସତ୍ୟ ପ୍ରମାଣିତ ହେବା ପରେ ଶେଷରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ତେବେ କାର୍ଯ୍ୟାନୁଷ୍ଠାନ ପରଠାରୁ ଅଭିଯୁକ୍ତ ଶିକ୍ଷକ ପ୍ରଶାନ୍ତ ସେଠୀ ଫେରାର ଅଛନ୍ତି।