ଭୁବନେଶ୍ବର: ଆଜି ବିଧାନସଭାରେ ଉପସ୍ଥାପନା ହେବ ରାଜ୍ୟ ବଜେଟ । ଅପରାହ୍ନ ୪ଟାରେ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ। ଅର୍ଥମନ୍ତ୍ରୀ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ଚିଠା ବଜେଟ୍ ଉପସ୍ଥାପନ କରିବେ। ବଜେଟ୍ ପେଡ଼ିରେ କ’ଣ ରହିଛି ତାହା ଜାଣିବାକୁ ରାଜ୍ୟବାସୀଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ରହିଛି। ୨୦୨୫-୨୬ ଆର୍ଥିକ ବର୍ଷରେ ସେ ୨,୯୦,୦୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ। ଏଥର ବଜେଟ୍ ପରିମାଣ ୩ ଲକ୍ଷ ୧୦ ହଜାର କୋଟି ପାଖାପାଖି ଛୁଇଁପାରେ ବୋଲି ଆକଳନ କରାଯାଉଛି।
ପୁଞ୍ଜି ବ୍ୟୟ ଓ ଋଣ ଉପରେ ମଧ୍ୟ ସମସ୍ତଙ୍କର ନଜର ରହିବ। ପୁଞ୍ଜି ବ୍ୟୟ କ୍ଷେତ୍ରରେ ଓଡ଼ିଶା ଦେଶରେ ଶୀର୍ଷ ସ୍ଥାନରେ ରହିଛି। ଗତ ଆର୍ଥିକ ବର୍ଷରେ ୬୫,୦୧୨ କୋଟି ଟଙ୍କାର ପୁଞ୍ଜି ବ୍ୟୟ ଘୋଷଣା କରାଯାଇଥିଲା, ଯାହା ରାଜ୍ୟର ମୋଟ୍ ଘରୋଇ ଉତ୍ପାଦ (ଜିଏସ୍ଡିପି)ର ୬.୧୧ ପ୍ରତିଶତ ରହିଥିଲା। ଏଥର ବଜେଟ୍ରେ ସରକାର ସେଥିରେ ବଡ଼ଧରଣର ବୃଦ୍ଧି କରିପାରନ୍ତି।
ପ୍ରତିଥର ଭଳି କିଛି ନୂଆ ଯୋଜନା ଘୋଷଣା ହେବାର ମଧ୍ୟ ସମ୍ଭାବନା ରହିଛି। ପ୍ରମୁଖ ଯୋଜନା ଯଥା ସୁଭଦ୍ରା, ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ସ୍ବଚ୍ଛ ଓଡ଼ିଶା, ଓଡ଼ିଶା ଏଆଇ ମିସନ୍, ସମୃଦ୍ଧ କୃଷକ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ଆବାସ ଯୋଜନା ପାଇଁ ବ୍ୟୟବରାଦ କିଭଳି ରହିବ ତାହା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି।