ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଚାଷ ଜମିକୁ କରାଯାଉଥିବା ଜଳ ସେଚନ ପ୍ରକଳ୍ପରୁ ୧୦ ହଜାରରୁ ଉର୍ଦ୍ଧ୍ୱ ପ୍ରକଳ୍ପ ଅଚଳ ଅବସ୍ଥାରେ ରହିଛି । ଏ ନେଇ ଗୃହରେ ଆଜି ଉତ୍ତର ରଖିଛନ୍ତି ଜଳ ସମ୍ପଦ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ୍ ଜଳ ସେଚନକୁ ନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ପ୍ରଶ୍ନ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି । ରାଜ୍ୟରେ ଉଠା ଜଳସେଚନ ନିଗମ ମାଧ୍ୟମରେ ସମସ୍ତ ୩୦ ଗୋଟି ଜିଲ୍ଲାରେ ମୋଟ ୧,୮୬,୨୩୧ ଗୋଟି ପ୍ରକଳ୍ପ ସ୍ଥାପନ କରାଯାଇ ଆପାତତଃ ୧୬,୮୭,୧୧୯ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା କରାଯାଇଅଛି I ସେଥିମଧ୍ୟରୁ ୧୦,୪୬୦ ଗୋଟି ପ୍ରକଳ୍ପ ବିଭିନ୍ନ କାରଣ ଯୋଗୁଁ ଅଚଳ ଅବସ୍ଥାରେ ଅଛି ଓ ଅଚଳ ଥିବା ୫୨୯୫ ଗୋଟି ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପକୁ ଅନଲାଇନ ମାଧ୍ୟମରେ ଆବେଦନପତ୍ର ଗ୍ରହଣ କରି ପର୍ଯ୍ୟାୟକ୍ରମେ ସଚଳ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ରେ ୧୦୬୫ ଗୋଟି ଅଚଳ ପ୍ରକଳ୍ପ କୁ ସଚଳ କରିବା ପାଇଁ କାର୍ଯ୍ୟ ଚାଲୁ ରହିଅଛି । ଅବଶିଷ୍ଟ ଅଚଳ ଥିବା ୫୧୬୫ ଗୋଟି ଗଭୀର ନଳ କୂପ ଗୁଡିକ ହିତାକାରୀଙ୍କ ନିଜସ୍ୱ ମାଲିକାନା ଅନ୍ତର୍ଗତ ହୋଇଥିବାରୁ ନିର୍ଦ୍ଦିଷ୍ଟ ଚାଷୀମାନଙ୍କୁ ନିଜସ୍ୱ ଅର୍ଥରେ ଏହାର ପୁନଃରୁଦ୍ଧାର କରିବା ପାଇଁ ସଚେତନ କରାଯାଉଅଛି ।
ସେହିପରି ରାଜ୍ୟରେ ୫୭ ଗୋଟି ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇ ୩,୩୨,୪୩୬ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ପ୍ରଦାନ କରାଯାଉଅଛି ଏବଂ ଏହି ସବୁ ପ୍ରକଳ୍ପ ଗୁଡିକ ସଂପୂର୍ଣ କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି । ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପ ଗୁଡିକୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନିଆଯାଉଅଛି ।
ଏହା ବ୍ୟତୀତ, ରାଜ୍ୟରେ ୩୮୫୩ ଗୋଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇ ୫,୨୭,୬୨୨ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ପ୍ରଦାନ କରାଯାଉଅଛି ଏବଂ ଏହି ସବୁ ପ୍ରକଳ୍ପ ଗୁଡିକ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି ।