ଦେବଗଡ: ବାଲ୍ୟବିବାହ ବିରୋଧରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ଓଡ଼ିଶାର ଦେବଗଡ଼ ଜିଲ୍ଲା ପ୍ରଶାସନ ଏକ ବଡ଼ ଘୋଷଣା କରିଛି। ଦେବଗଡ ଏବେ ବାଲ୍ୟ ବିବାହ ମୁକ୍ତ ଦୌଡ଼ରେ ସାମିଲ ହୋଇଛି। ବାଲ୍ୟବିବାହ ପ୍ରଥାକୁ ଦୂର କରିବା ପାଇଁ ଏକ ତୀବ୍ର ଅଭିଯାନର ଅଂଶ ସ୍ୱରୂପ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନକୁ "ବାଲ୍ୟବିବାହ ମୁକ୍ତ ଅଞ୍ଚଳ" ଭାବରେ ଘୋଷଣା କରିଛି। ପୂର୍ବରୁ ରାଜ୍ୟରେ ଗଞ୍ଜାମ ଓ ଗଜପତି ବାଲ୍ୟ ବିବାହ ମୁକ୍ତ ଘୋଷିତ ହୋଇଥିବାବେଳେ ଦେବଗଡ଼ ତୃତୀୟ ଜିଲ୍ଲା ଭାବେ ଏ ମାନ୍ୟତା ପାଇବାକୁ ଯାଉଛି।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ସୂଚନା ଅନୁସାରେ, ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣ-୨୦୧୪ରେ ପ୍ରଥମ ପର୍ଯ୍ୟାୟରେ ଦେବଗଡ ଜିଲ୍ଲାରେ ବାଲ୍ୟ ବିବାହ ହାର ୨୩ ପ୍ରତିଶତ ଥିବାବେଳେ ୨୦୧୯ରେ ୧୯ପ୍ରତିଶତକୁ ଖସିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲା ଟାସ୍କଫୋର୍ସ ବୈଠକ ସମୀକ୍ଷା ପରେ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଦେବଗଡ଼ ଜିଲ୍ଲାର ୩୬୪ ଗ୍ରାମ ଓ ପୌରାଞ୍ଚଳର ୧୧ଟି ୱାର୍ଡକୁ “ବାଲ୍ୟ ବିବାହ ମୁକ୍ତ’ ଘୋଷିତ କରାଯାଇଛି।
ବାଲ୍ୟ ବିବାହକୁ ପ୍ରତିହତ ପାଇଁ ପ୍ରଶାସନର ନିର୍ଦ୍ଦେଶରେ ଦେବଗଡ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନଗୁଡ଼ିକୁ ବାଲ୍ୟ ବିବାହ ମୁକ୍ତ ପରିସର ଭାବେ ଘୋଷିତ କରାଯାଇଛି। ସମସ୍ତ ଗ୍ରାମ ଓ ବ୍ଲକର ସରପଞ୍ଚ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବାଲ୍ୟ ବିବାହ ନିଷେଧ ଟାସ୍କ ଫୋର୍ସ ଗଠନ କରାଯାଇଛି। ଅଧିକ ତଦାରଖ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ପରିଚାଳିତ ସରକାରୀ ରେକର୍ଡରେ ସମସ୍ତ ବିବାହ ପଞ୍ଜିକରଣ କରିବାକୁ ଅଙ୍ଗନୱାଡି କର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
୨୦୩୦ ସୁଦ୍ଧା ଓଡ଼ିଶା ବାଲ୍ୟ ବିବାହ ମୁକ୍ତ ରାଜ୍ୟ ହେବ। ତେଣୁ ଓଡ଼ିଶାକୁ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟ ନେଇ ସରକାର ସମସ୍ତ ଜିଲ୍ଲାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବାଲ୍ୟ ବିବାହ ସୂଚନା ପ୍ରଦାନକାରୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ୩୦୦୦ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି। ବାଲ୍ୟ ବିବାହ ସମ୍ପର୍କିତ ସମସ୍ତ ଅଭିଯୋଗ ଗ୍ରହଣ କରିବାକୁ ଜରୁରୀକାଳୀନ ୨୪ ଘଣ୍ଟିଆ ଚାଇଲ୍ଡ ହେଲ୍ପ ଲାଇନ -୧୦୯୮ ଓ ମହିଳା ସହାୟତା ନମ୍ବର-୧୮୧ କଣ୍ଟ୍ରୋଲ ରୁମ କାର୍ଯ୍ୟ କରୁଛି।