ପୁରୀ: ପୁରୀ କୋର୍ଟ କମ୍ଲେସ ସ୍ଥାନାନ୍ତରଣକୁ ବିରୋଧ କରି ଆଇନଜୀବୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଇନଜୀବୀମାନେ ମାଳତୀପାଟପୁର ଛକ ନିକଟରେ ସକାଳ ୯ଟାରୁ ଦିନ ୩ଟା ଯାଏ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ସାଧାରଣ ଜନତାଙ୍କୁ ଠାରୁ ନେଇ ପର୍ଯ୍ୟଟକମାନେ ଫସି ରହିଛନ୍ତି ।
ଆଇନଜୀବୀମାନେ ଅଭିଯୋଗ କରିଛନ୍ତି ବର୍ଷେ ହେବ ସରକାରଙ୍କୁ କହି କହି ନ ଶୁଣିବାକୁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ପୁରୀ ଜିଲ୍ଲାର ସମସ୍ତ ଓକିଲମାନେ ମାଳତୀପାଟପୁର ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି । କେବଳ ପରୀକ୍ଷାର୍ଥୀ ଏବଂ ଆମ୍ବୁଲାନ୍ସକୁ ଛାଡ଼ୁ ଥିବାବେଳେ କାହାକୁ ଛାଡୁ ନାହାଁନ୍ତି । ଫଳରେ ଭୁବନେଶ୍ୱରରୁ ପୁରୀ ଯାଉଥିବା ଏବଂ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଶତାଧିକ ଗାଡ଼ି ଅଟକି ରହିଛି । ବିଶେଷକରି ସ୍ଥାନୀୟ ବାସିନ୍ଦା ଏବଂ ପର୍ଯ୍ୟଟକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ସେପଟେ ପୁରୀ ଏସପି ପ୍ରତୀକ ସିଂହ ଆନ୍ଦୋଳନସ୍ଥଳରେ ପହଁଚି ଆନ୍ଦୋଳନାକାରୀଙ୍କ ସହିତ ଆଲୋଚନା କରିଛନ୍ତି । ସବୁକିଛି ନିୟନ୍ତ୍ରଣରେ ଥିବା ଏସପି କହିଛନ୍ତି । ତେବେ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ଡାଇଭର୍ସନ୍ ରୋଡ୍ ଦେଇ ଯିବାକୁ ପରାମର୍ଶ ଦିଆଯାଇଛି । ତାରକାଜୁ, ସାତଶଙ୍ଖ, ହରେକୃଷ୍ଣପୁର ଛକ ଓ ସମଯାଜପୁର ବ୍ରିଜ୍ ନିକଟରେ ଡାଇଭର୍ସନ୍ କରାଯାଇଛି । ସମସ୍ତଙ୍କୁ ଏହି ରାସ୍ତା ଦେଇ ଗନ୍ତବ୍ୟ ସ୍ଥଳକୁ ଯିବାକୁ ପରାମର୍ଶ ଦିଆଯାଉଛି ।