ଭୁବନେଶ୍ୱର: ବିଧାନସଭାରେ ଆଗତ ହେଲା ଆଗାମୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍। ଲଗାତର ତୃତୀୟ ଥର ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆର୍ଥିକ ବର୍ଷ ୨୦୨୬-୨୭ର ଆୟ ବ୍ୟୟର ହିସାବ ଓ ସମାଧାନର ବାଟ ବଜେଟରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଚଳିତ ବଜେଟରେ ମୁଖ୍ୟମନ୍ତ୍ରୀ-କିଷାନ ଯୋଜନା ଅଧିନରେ ୨ହଜାର ୩୦ କୋଟି ଟଙ୍କାର ପ୍ରସ୍ତାବ ରହିଛି।
ମୁଖ୍ୟମନ୍ତ୍ରୀ-କିଷାନ ଯୋଜନା ଅଧିନରେ ୨ହଜାର ୩୦ କୋଟି ଟଙ୍କାର ପ୍ରସ୍ତାବ
- ଶ୍ରୀଅନ୍ନ ଅଭିଯାନ' ପାଇଁ ୪ଶହ କୋଟି ଟଙ୍କା
- ଅଣଧାନ ଚାଷ ପାଇଁ ୪ ଶହ ୬୯ କୋଟି ଟଙ୍କା
- ୬ଟି ଜିଲ୍ଲାରେ କଫି ଚାଷ ପାଇଁ ୧ ଶହ ୫୦ କୋଟି ଟଙ୍କା
- ଆଖୁ ଚାଷ ପାଇଁ ୨୭ କୋଟି ଟଙ୍କା ଜୈବିକ ଚାଷ ପାଇଁ ୨୮ କୋଟି ଟଙ୍କା ବ୍ୟବସ୍ଥା
- ଅବହେଳିତ ଶସ୍ୟର ପୁନରୁଦ୍ଧାର ପାଇଁ ୫୫ କୋଟି ଟଙ୍କା
- 'କୃଷି ଉପକରଣର ଲୋକପ୍ରିୟତା' ଯୋଜନାକୁ ୪ ଶହ କୋଟି ଟଙ୍କା
ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଚାଷୀ, ଜମି ମାଲିକ, ଭୂମିହୀନ ପରିବାର ଏବଂ ବିଶେଷ ଭାବେ ସମ୍ବେଦନଶୀଳ ଜନଜାତିଙ୍କ ପାଖରେ ଅତିରିକ୍ତ ସହାୟତା ପହଞ୍ଚାଇ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ-କିଷାନ ଯୋଜନାକୁ ମୁଖ୍ୟମନ୍ତ୍ରୀ-କିଷାନ ଯୋଜନା ଜରିଆରେ କାର୍ଯ୍ୟକାରୀ କରି ଆସୁଛନ୍ତି। ୨୦୨୫-୨୬ ବର୍ଷରେ ୩ ହଜାର ୨ ଶହ ୩୬ ଜଣ PVTG ଚାଷୀ, ୩୧ ହଜାର ୬ ଶହ ୯୫ ଜଣ ସହରାଞ୍ଚଳ ଚାଷୀ ଏବଂ ୩୯ ହଜାର ୨ ଶହ ୩୯ ଜଣ ଭୂମିହୀନ ଭୂମି କୃଷି ପରିବାର ସମେତ ୫୧ ଲକ୍ଷ ୫୬ ହଜାର କୃଷକଙ୍କ ନିକଟରେ ଏହି ସହାୟତା ପହଞ୍ଚିପାରିଛି। ଏହି ପ୍ରମୁଖ ଯୋଜନାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ୨ ହଜାର ୩୦ କୋଟି ଟଙ୍କାର ପ୍ରସ୍ତାବ ରହିଛି ।
ସେହିପରି ମାଣ୍ଡିଆ ଭଳି ଜଳବାୟୁ ସହନଶୀଳ ଏବଂ ପୁଷ୍ଟିକର ଶସ୍ୟକୁ ପୁନର୍ଜୀବିତ କରି ପୁଷ୍ଟିକର ଖାଦ୍ୟ ସୁରକ୍ଷା ଯୋଗାଇବା ପାଇଁ 'ଶ୍ରୀ ଅନ୍ନ ଅଭିଯାନ' ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ୪ ଶହ କୋଟି ଟଙ୍କାର ବ୍ୟବସ୍ଥା ରହିଛି।
ଧାନ ଉପରେ ଅତ୍ୟକ ନିର୍ଭରଶୀଳତାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଜଳବାୟୁ ସହନଶୀଳ କୃଷିକୁ ପ୍ରାଥମିକତା ଦେଇ ବିଭିନ୍ନ କିସମର ଡାଲି, ତୈଳବୀଜ ଏବଂ ଦେଶୀ ସୁଗନ୍ଧିତ ଓ ଅଣସୁଗନ୍ଧିତ ଧାନ ଚାଷକୁ ପ୍ରୋତ୍ସାହିତ କରାଯାଉଛି। ଏଥିଲାଗି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ରେ ଫସଲ ବିବିଧକରଣ କାର୍ଯ୍ୟକ୍ରମ, ସ୍ବଦେଶୀ ପ୍ରଜାତିର ଧାନକୁ ପ୍ରୋତ୍ସାହନ ଏବଂ ଅମଳ ପରବର୍ତ୍ତୀ ଧାନ ପଡ଼ିଆର ବ୍ୟାପକ ପରିଚାଳନା ଆଦି ପଦକ୍ଷେପ ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ମୋଟ ୪ ଶହ କୋଟି ଟଙ୍କାର ବ୍ୟୟ ବରାଦ ରହିଛି ।
ଦୀର୍ଘସ୍ଥାୟୀ ଜୀବିକା ନିର୍ବାହ ପାଇଁ ଉଚ୍ଚ-ମୂଲ୍ୟଯୁକ୍ତ ବାଣିଜ୍ୟ ଉପୋଯୋଗୀ ଏବଂ ଜୈବିକ ଚାଷର ସୁପରିକଳ୍ପନା କରି ୬ ଟି ଜିଲ୍ଲା ରେ କଫି ଚାଷ ପାଇଁ ୧ ଶହ ୫୦ କୋଟି ଟଙ୍କାର ପ୍ରସ୍ତାବ ରହିଥିବା ବେଳେ “ପ୍ରଯୁକ୍ତିବିଦ୍ୟା ଦ୍ବାରା ଆଖୁ ଚାଷ" ନିମନ୍ତେ ୨୭ ୨୭ କୋଟି ଟଙ୍କା ଏବଂ ବଳଭଦ୍ର ଜୈବିକ ଚାଷ ମିଶନ ନିମନ୍ତେ ୨୮ କୋଟି ଟଙ୍କ ଙ୍କାର ବ୍ୟବସ୍ଥା ରହିଛି ।
ଚଳିତ ଆର୍ଥିକ ବର୍ଷରେ “ଓଡ଼ିଶାରେ ବିସ୍ତୃତ ଖାଦ୍ୟ/ ଅବହେଳିତ ଶସ୍ୟର ପୁନରୁଦ୍ଧାର" ଯୋଜନା ଆରମ୍ଭ କରିଛନ୍ତି ଯାହା ପାଇଁ ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ୫୫ କୋଟି ଟଙ୍କାର ପ୍ରସ୍ତାବ ରହିଛି ।
“କୃଷି ଉପକରଣର ଲୋକପ୍ରିୟତା" ଯୋଜନା ଅଧୀନରେ କୃଷି ଯାନ୍ତ୍ରିକୀକରଣ ନିମନ୍ତେ ୪ ଶହ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି ।
କୃଷି - ଉଦ୍ୟୋଗୀକତା ଏବଂ ଗ୍ରାମୀଣ ଜୀବିକାର ସଶକ୍ତିକରଣ ପାଇଁ ରାଜ୍ୟ କୃଷି ନୀତି ରେ କୃଷି ଉଦ୍ୟୋଗ ଏବଂ କୃଷି ସେବା କେନ୍ଦ୍ରଗୁଡିକୁ ପୁଞ୍ଜି ନିବେଶ ସହାୟତା ବାବଦକୁ ୪ ଶହ ୪୧ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଥିବାବେଳେ ନୂତନ “ଶୀତଳ ଭଣ୍ଡାର ନୀତି" ରେ ଅମଳ ପରବର୍ତ୍ତୀ ଭିତ୍ତିଭୂମିକୁ ମଜବୁତ କରିବା ଉଦ୍ଦେଶ୍ୟରେ ୬୩ କୋଟି ଟଙ୍କାର ପ୍ରସ୍ତାବ ରହିଛି ।