ଭୁବନେଶ୍ୱର: ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ ହୋଇଛି । ଶୁକ୍ରବାର ସକାଳ ୯ଟା ୪୫ ମିନିଟ୍ ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଇହଲୀଳା ସମ୍ବରଣ କରିଛନ୍ତି । ୮୬ ବର୍ଷ ବୟସରେ କାହ୍ନୁଚରଣଙ୍କ ପରଲୋକ ହୋଇଛି ।
ପୂର୍ବତନ ବରିଷ୍ଠ କଂଗ୍ରେସ ନେତା କାହ୍ନୁଚରଣ ଲେଙ୍କା ୧୯୯୫ ରୁ ୨୦୦୦ ମସିହା ଯାଏଁ କଟକ ଜିଲ୍ଲା ଚୌଦ୍ଵାର ଆସନରୁ ବିଧାୟକ ଥିଲେ । ପରେ ଓଡ଼ିଶା ସରକାରଙ୍କ ଶିଳ୍ପ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ୧୯୮୮ ମସିହାରେ ସେ ରାଜ୍ୟସଭାକୁ ଯାଇଥିଲେ । ୧୯୮୮-୯୪ ମସିହା ଯାଏଁ ସେ ରାଜ୍ୟସଭା ସାଂସଦ ଥିଲେ । ପି. ଭି. ନରସିଂହ ରାଓଙ୍କ ସରକାରରେ ରେଳ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ସେ କଂଗ୍ରେସର ଜଣେ ଆଜୀବନ ସଦସ୍ୟ ଥିଲେ । ଦୀର୍ଘ ୫୫ରୁ ଉର୍ଦ୍ଧ୍ୱ ସମୟ ଧରି ସେ କଂଗ୍ରେସ ସହିତ ଜଡ଼ିତ ଥିଲେ । ସେ ରାଜ୍ୟ କଂଗ୍ରେସ ସଭାପତି ହୋଇଥିଲେ । ତାଙ୍କ ଦେହାନ୍ତରେ ଓଡ଼ିଶା ରାଜନୀତିରେ ଏକ ଯୁଗର ଅନ୍ତ ହୋଇଛି ।
କାହ୍ନଚରଣଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯେ ବରିଷ୍ଠ ନେତା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ସାଂସଦ କାହ୍ନୁ ଚରଣ ଲେଙ୍କାଙ୍କ ଦେହାନ୍ତ ବିଷୟରେ ଶୁଣି ଅତ୍ୟନ୍ତ ଦୁଃଖିତ। ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହିତ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ।