ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ରିୟଲ ଇଷ୍ଟେଟ ନିୟାମକ ପ୍ରାଧିକରଣ(ରେରା)କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ରେରାର ଗଠନ ଉପରେ ପୁନର୍ବିଚାର କରାଯିବାର ଏହା ହେଉଛି ଉପଯୁକ୍ତ ସମୟ । କାରଣ ଏହି ସଂସ୍ଥା ଦାଗୀ ବିଲଡରଙ୍କୁ ସୁବିଧା ଦେବା ବ୍ୟତୀତ ଆଉ କିଛି କରୁ ନାହିଁ । ସିଜେଆଇ ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲା ବାଗଚୀଙ୍କ ପୀଠ କହିଛନ୍ତି ଯେ, ଯେଉଁ ଲୋକଙ୍କ ପାଇଁ ରେରା ଗଠନ ହୋଇଥିଲା, ସେମାନେ ସଂପୂର୍ଣ୍ଣ ନିରାଶ ଏବଂ ହତାଶ ।
ପୀଠ ଜୋର ଦେଇ କହିଛନ୍ତି ଯେ, ଯଦି ଏହି ସଂସ୍ଥାକୁ ବନ୍ଦ କରି ଦିଆଯାଏ ତେବେ କୋର୍ଟଙ୍କ କୌଣସି ଆପତ୍ତି ନାହିଁ । ପୀଠ ହିମାଚଳ ପ୍ରଦେଶ ସରକାରଙ୍କୁ ରେରାର କାର୍ଯ୍ୟାଳୟକୁ ନିଜ ପସନ୍ଦର ସ୍ଥାନ ଉପରେ ସ୍ଥାନାନ୍ତର କରିବାକୁ ଅନୁମତି ପ୍ରଦାନ କରି ଏହି ଟିପ୍ପଣୀ କରିଛନ୍ତି । ହିମାଚଳ ପ୍ରଦେଶ ସରକାର ଓ ଅନ୍ୟ ଦ୍ୱାରା ଦାଖଲ ଯାଚିକା ଉପରେ ପୀଠ ନୋଟିସ୍ ଜାରି କରିଛନ୍ତି । ଏଥିରେ ହିମାଚଳ ପ୍ରଦେଶ ଉଚ୍ଚ ନ୍ୟାୟାଳୟଙ୍କ ସେହି ଆଦେଶକୁ ଚ୍ୟାଲେଞ୍ଜ ଦିଆଯାଇଥିଲା, ଯେଉଁଥିରେ ରାଜ୍ୟର ରେରା କାର୍ଯ୍ୟାଳୟକୁ ସିମଲାରୁ ଧର୍ମଶାଳା ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଶୁଣାଣି ସମୟରେ ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି, ଦାଗୀ ବିଲଡରଙ୍କୁ ସୁବିଧା ଦେବା ବ୍ୟତୀତ ରେରା ଆଉ କିଛି କାମ କରୁ ନାହିଁ । ଭଲ ହେବ ଏହି ସଂସ୍ଥାକୁ ବନ୍ଦ କରି ଦିଆଯାଉ । ଏଥିରେ ଆମର କୌଣସି ଆପତ୍ତି ନାହିଁ । ଏବେ ସମୟ ଆସି ଯାଇଛି ସମସ୍ତ ରାଜ୍ୟ ଏହି ପ୍ରାଧିକରଣର ଗଠନ ଉପରେ ପୁନର୍ବିଚାର କରନ୍ତୁ ।
ରାଜ୍ୟ ସରକାରଙ୍କ ପକ୍ଷରୁ ହାଜର ଆଇନଜୀବୀ କହିଛନ୍ତି, ହିମାଚଳ ପ୍ରଦେଶର ରେରା କାର୍ଯ୍ୟାଳୟକୁ ସିମଲାରୁ ଧର୍ମଶାଳା ସ୍ଥାନାନ୍ତର କରିବାକୁ ନିର୍ଣ୍ଣୟ ନେଇଥିଲେ । ଯଦ୍ୱାରା ସିମଲା ସହରର ଭିଡ ହ୍ରାସ ପାଇବ । ଏହି ନିଷ୍ପତ୍ତି ସଂପୂର୍ଣ୍ଣ ପ୍ରଶାସନିକ କାରଣ ଉପରେ ଆଧାରିତ ଥିଲା ।
Also read: ଅପମାନର ସମ୍ମୁଖୀନ ହେଉଛନ୍ତି ପାକିସ୍ତାନୀ ଭିକାରି, ଉପସାଗରୀୟ ଦେଶର ଭିସା ଉପରେ ଲାଗିଲା ରୋକ