କଲୋମ୍ବୋ: ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬ରେ ସବୁଠୁ ବଡ ବିପର୍ଯ୍ୟୟ ଘଟିଛି । ଜିମ୍ବାୱେ ଲିଗ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ୨୩ ରନରେ ହରାଇଛି । କଲୋମ୍ବୋର ପ୍ରେମାଦାସା ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୨ ୱିକେଟ୍ ହରାଇ ୧୬୯ ରନ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୧୯.୩ ଓଭରରେ ୧୪୬ ରନରେ ଅଲଆଉଟ୍ ହୋଇଛି । ମ୍ୟାଟ୍ ରେନଶଙ୍କ ୬୫ ରନର ସଂଘର୍ଷପୂର୍ଣ୍ଣ ଇନିଂସ କଙ୍ଗାରୁ ଦଳକୁ ପରାଜୟରୁ ବଞ୍ଚାଇ ପାରିନି । ଜିମ୍ବାୱେ ପକ୍ଷରୁ ବ୍ୟାଟିଂରେ ବ୍ରିୟାନ ବେନେଟ୍ ୬୪ ରନର ଇନିଂସ ଖେଳିଥିବା ବେଳେ ବୋଲିଂରେ ବ୍ଲେସିଙ୍ଗ ମୁଜାରାବାନି ୪ ଓ ବ୍ରାଡ ଇଭାନ୍ସ ୩ଟି ୱିକେଟ୍ ନେଇ ଦଳକୁ ଜିତାଇଛନ୍ତି ।
୧୭୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଅଷ୍ଟ୍ରେଲିଆ ଆରମ୍ଭରେ ନିୟମିତ ୱିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଦଳ ୨୯ ରନ ଭିତରେ ୪ ୱିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ପଡିଥିଲା । ଜୋଶ ଇଂଲିଶ ୮ ରନ, କ୍ୟାମେରୁନ ଗ୍ରୀନ ଓ ଟିମ୍ ଡେଭିଡ ଖାତା ଖୋଲି ପାରି ନ ଥିଲେ । ଟ୍ରେଭିସ ହେଡ ୧୭ ରନ କରିଥିଲେ ହେଁ ବଡ ଇନିଂସ ଖେଳି ପାରି ନ ଥିଲେ । ଏହା ଗ୍ଲେନ ମ୍ୟାକ୍ସୱେଲ ଓ ମ୍ୟାଟ୍ ରେନଶ ଦଳକୁ ସଙ୍କଟ ଜନକ ସ୍ଥିତିରୁ ଉଦ୍ଧାର କରିଥିଲେ । ଉଭୟ ୭୭ ରନ ଯୋଡି ଦଳର ସ୍କୋରକୁ ୧୦୦ ପାର କରାଇଥିଲେ।
ହେଲେ ମ୍ୟାକ୍ସୱେଲ ୩୧ ରନ କରି ଆଉଟ୍ ହେବା ସହ ଅଷ୍ଟ୍ରେଲିଆ ପୁଣି ଥରେ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା । ମାର୍କସ ଷ୍ଟୋଇନିସ(୬ ରନ) ଓ ବେନ ଡ୍ୱରାସିସ(୭ ରନ) ପାଭିଲିୟନ ଫେରିଥିଲେ । ଗୋଟିଏ ପଟେ ରେନଶ କ୍ରିଜରେ ଥିବା ବେଳେ ଅନ୍ୟପଟେ କେହି ତାଙ୍କୁ ସହଯୋଗ କରି ନ ଥିଲେ । ଶେଷରେ ରେନଶ ଆଉଟ୍ ହେବା ସହ ଅଷ୍ଟ୍ରେଲିଆର ବିଜୟ ଆଶା ମଉଳି ଯାଇଥିଲା । ଅଷ୍ଟ୍ରେଲିଆ ୧୪୬ ରନରେ ସୀମିତ ରହିଥିଲା । ଆଉ ଜିମ୍ବାୱେ ମ୍ୟାଚକୁ ୨୩ ରନରେ ଜିତି ଚଳିତ ଟି-୨୦ ବିଶ୍ୱକପରେ ବଡ ବିପର୍ଯ୍ୟୟ ସୃଷ୍ଟି କରିଛି ।
ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଜିମ୍ବାୱେ ୨ ୱିକେଟ୍ ହରାଇ ୧୬୯ ରନ କରିଥିଲା । ବ୍ରିଆନ ବେନେଟ ଓ ତାଡିୱାନଶେ ମାରୁମାନି ଓପନିଂରେ ୬୧ ରନ ଯୋଡିଥିଲେ । ମାରୁମାନି ୩୫ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ୩୫ ରନର ଉପଯୋଗୀ ଇନିଂସ ଖେଳିଥିଲେ ରିୟାନ ବୁରି । ଅନ୍ୟପଟେ ବେନେଟ ଅର୍ଦ୍ଧଶତକ ହାସଲ କରିବା ସହ ୫୬ ବଲରୁ ୭ ଚୌକା ସହ ୬୪ ରନ କରି ଆପରାଜିତ ଥିଲେ । ଅଧିନାୟକ ସିକନ୍ଦର ରାଜା ୧୩ ବଲରୁ ୨୫ ରନର ଦ୍ରୁତ ଇନିଂସ ଖେଳିବାରୁ ଜିମ୍ବାୱେ ୧୬୯ ରନ କରି ପାରିଥିଲା ।