ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ତିନୋଟି ଠିକାଦାର ସଂଗଠନ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେଇଛନ୍ତି । ଆସନ୍ତା ଫେବୃଆରୀ ୨୦ରୁ ୮ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ଠିକାଦାର ସଂଘ । ଏଥିରେ ୭୦ ହଜାରୁ ଅଧିକ ଠିକାଦାର ସାମିଲ ହେବେ ।
ତିନୋଟି ପ୍ରମୁଖ ସଂଘ, ଅଲ୍ ଓଡ଼ିଶା ଠିକାଦାର ମହାସଂଘ, ଅଲ୍ ଓଡ଼ିଶା ଠିକାଦାର ୱେଲଫେୟାର ଆସୋସିଏସନ୍ ଓ ଅଲ୍ ଓଡ଼ିଶା ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର ଆସୋସିଏସନ୍ ପକ୍ଷରୁ ମିଳିତ ଆନ୍ଦୋଳନ ଡାକରା ଦିଆଯାଇଛି । ଟେଣ୍ଡର ମୂଲ୍ୟକୁ ଶୂନ୍ୟ ପ୍ରତିଶତ କରିବାକୁ ପ୍ରକାଶ ପାଇଥିବା ସର୍କୁଲାର ରଦ୍ଦ, କୋଡାଲ୍ ବ୍ୟବସ୍ଥା ଅନୁଯାୟୀ ପ୍ରତିବର୍ଷ ନିୟମିତ ଭାବେ ସିଡ୍ୟୁଲ ଅଫ୍ ରେଟ୍ସ ସ୍ଥିର କରିବା ନଚେତ୍ ୧୫ ପ୍ରତିଶତ ବୃଦ୍ଧି, ଏକ ରାଜ୍ୟ ଏକ ଆଇନ ଅର୍ଥାତ୍ ସମଗ୍ର ରାଜ୍ୟରେ ଏସବିଡି ପ୍ରଚଳନ ଏବଂ ମଧ୍ୟସ୍ଥତା ଧାରାର ସଂଯୋଗ, ସଚଳ ଖଣି ଗୁଡ଼ିକର ତାଲିକା ପ୍ରସ୍ତୁତ କରି ଟେଣ୍ଡରରେ ଖଣିର ନାମ ଉଲ୍ଲେଖ କରିବା, ଜରିମାନା ଛାଡ଼, ଦରଦାମ ବୃଦ୍ଧିର ହିସାବ ଓ ୱାମିସ୍ ସ୍ଥାନାନ୍ତର ଦାବି ରହିଛି ।
ମିଳିତ ମଞ୍ଚର ଆବାହକ ଅନିଲ କୁମାର ମହାଲିକଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି ପତ୍ର ମାଧ୍ୟମରେ ସଂଘ ପକ୍ଷରୁ ଦାବି କରାଯାଇଛି, ଯଦି ସରକାର ୧୮ ତାରିଖ ସୁଦ୍ଧା ଦାବି ମାନ ନନିଅନ୍ତି ତେବେ ୨୦ରୁ କାର୍ୟ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ । ତେବେ ଆନ୍ଦୋଳନ ଯୋଗୁଁ ସରକାରୀ ନିର୍ମାଣ କ୍ଷେତ୍ରରେ ବ୍ୟାପକ ସମସ୍ୟା ଉପୁଜିବାର ଆଶଙ୍କା କରାଯାଉଛି ।