କଟକ: ଓଡ଼ିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ଗୀତା ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍ଗୀନ ହୋଇଛି । ସେ ବର୍ତ୍ତମାନ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ଗତକାଲି ରାତିରେ ଭୁବନେଶ୍ୱରରେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମଞ୍ଚକୁ ଚଢ଼ିଲା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷା ପରେ ତାଙ୍କର ମସ୍ତିଷ୍କ ଆଘାତ ବା ବ୍ରେନ୍ ଷ୍ଟ୍ରୋକ୍ ହୋଇଥିବା କୁହାଯାଉଛି । ସେଠାରେ ଚିକିତ୍ସା ପରେ ତୁରନ୍ତ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେ ବର୍ତ୍ତମାନ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।
ଗୀତା ପଟ୍ଟନାୟକ ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ସୁପରହିଟ୍ ଗୀତ ଗାଇଛନ୍ତି । ଯାଜାବର ଚଳଚ୍ଚିତ୍ର ଫୁର୍ କିନା ଉଡ଼ିଗଲା ବଣି ବହୁତ ଲୋକ ପ୍ରିୟତା ହାସଲ କରିଥିଲା । ସେହିପରି ଦନେଇ ଦାସ କହରେ ଭାଇ (ଯାଜାବର), ଏମିତି ପୁଅକୁ ମୁଁ ବାହା ହୁଅନ୍ତି (ଆହା ମୋର ସୁନା ଗୋରି), କେତେବେଳେ କଣ୍ଟା ତୁମେ (ଅକ୍ଷୟ ତୃତୀୟା), ଆରେ ବାବୁ ଶ୍ୟାମଘନ ଇତ୍ୟାଦି ସୁପରହିଟ୍ ଗୀତରେ କଣ୍ଠଦାନ କରିଛନ୍ତି ।