ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ଖନ୍ତପଡ଼ା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବାହନଗା ବଜାର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ତୀର୍ଥଯାତ୍ରୀ ବସ୍ ଭାରସାମ୍ୟ ହରାଇ ବ୍ରିଜ୍ ଉପରକୁ ଚଢ଼ିଯିବା ଫଳରେ ବସର ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରୁ ପ୍ରାୟ ୫୦ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ନେଇ ବସ୍ଟି ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିଲା। ବାହନଗା ବଜାର ନିକଟରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ସେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ବସ୍ଟି ଦ୍ରୁତ ଗତିରେ ଯାଇ ବ୍ରିଜ୍ର ପାର୍ଶ୍ଵ କାନ୍ଥ ଉପରକୁ ଚଢ଼ିଯାଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ, ଗାଡ଼ିର ସମ୍ମୁଖ ଭାଗ ବ୍ରିଜ୍ ବାହାରକୁ ଝୁଲି ରହିଥିବା ବେଳେ ଡ୍ରାଇଭର୍ ଜଣକ ସିଟ୍ରୁ ବ୍ରିଜ୍ ତଳକୁ ଖସିପଡ଼ିଥିଲେ ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ପୋଲିସ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବସ୍ ମଧ୍ୟରେ ଫସି ରହିଥିବା ଯାତ୍ରୀଙ୍କୁ ବାହାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୧୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ବର୍ତ୍ତମାନ ପୋଲ ଉପରେ ଦୁର୍ଘଟଣାଗ୍ରସ୍ତ ବସ୍ଟି ବିପଜ୍ଜନକ ଭାବେ ଝୁଲି ରହିଛି। ସ୍ଥାନୀୟ ପୋଲିସ କ୍ରେନ୍ ସାହାଯ୍ୟରେ ବସ୍କୁ ହଟାଇବା ପାଇଁ ଚେଷ୍ଟା କରୁଛି।