ଭୁବନେଶ୍ୱର: ଆସନ୍ତା ୧୪ ରୁ ୨୬ ଫେବୃଆରୀ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନଠାରେ ତୋଷାଳୀ ମେଳା ଆୟୋଜନ ହେବ। ଚଳିତବର୍ଷର ଥିମ୍ ରହିଛି ସ୍ଵଦେଶୀ ଓ ଆତ୍ମନିର୍ଭର ଭାରତ। ଓଡ଼ିଶା ସମେତ ଦେଶର ୨୦ଟି ରାଜ୍ୟର କାରିଗର, ବୁଣାକାରମାନେ ଏହି ମେଳାରେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ କରିବେ।୨୦ତମ ତୋଷାଳି ସ୍ଵଦେଶୀ ମେଳା ପାଇଁ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଏହି ମେଳା ସମ୍ପର୍କରେ ଗଣମାଧ୍ୟମ ସମ୍ମୁଖରେ ସବିଶେଷ ତଥ୍ୟ ରଖି କହିଥିଲେ, ବୁଣାକାର ଓ କାରିଗରଙ୍କ ପାଇଁ ତୋଷାଳି ସ୍ଵଦେଶୀ ମେଳା ସମୃଦ୍ଧିର ମହାକୁମ୍ଭ ହେବ। ସେମାନଙ୍କ ଜୀବନ-ଜୀବିକାକୁ ଅଧିକ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ଅଛନ୍ତି।
ପାରମ୍ପରିକ ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ ସହ ସାମଗ୍ରୀର ବିକ୍ରୟ ନିମନ୍ତେ ଏହି ମେଳା ଭଲ ସୁଯୋଗ ପ୍ରଦାନ କରିବ ବୋଲି ବିଭାଗୀୟ ଆୟୁକ୍ତ ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର କହିଛନ୍ତି। ଚଳିତବର୍ଷ ଏହି ମେଳାରେ ୯୦୫ ଗୋଟି ଷ୍ଟଲର ଆୟୋଜନ ହୋଇଛି। ଭାରତ ସରକାରଙ୍କ ହସ୍ତଶିଳ୍ପ ବିକାଶ ଆୟୁକ୍ତଙ୍କ ପ୍ରାୟୋଜିତରେ ବିଭିନ୍ନ ରାଜ୍ୟରୁ ୧୫୦ ଗୋଟି ଷ୍ଟଲରେ ହସ୍ତଶିଳ୍ପ କାରିଗର ଏବଂ ହସ୍ତତନ୍ତ ବିକାଶ ଆୟୁକ୍ତଙ୍କ ପକ୍ଷରୁ ୫୦ ଷ୍ଟଲରେ ବୁଣାକାରମାନେ ସେମାନଙ୍କ କଳା ପ୍ରଦର୍ଶନ କରିବେ। ସେହିପରି ରାଜ୍ୟ ସରକାରଙ୍କ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟଙ୍କ ପ୍ରଯୋଜନାରେ ଯଥାକ୍ରମେ ୨୮୧ ଜଣ କାରିଗର ଓ ୧୫୦ ଜଣ ବୁଣାକାର ସେମାନଙ୍କ ଉତ୍ପାଦ ଷ୍ଟଲରେ ପ୍ରଦର୍ଶନ କରିବେ।
ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବର୍ଗର ଉତ୍ପାଦ ୨୦୦ ଗୋଟି ଷ୍ଟଲରେ ଉପଲବ୍ଧ ହେବ। ୬୦ ଗୋଟି ଷ୍ଟଲରେ ଦର୍ଶକମାନେ ସ୍ଵଦେଶୀ ଖାଦ୍ୟର ସ୍ଵାଦ ଚାଖିବେ। ବୟନିକା, ସମ୍ବଲପୁରୀ ବସ୍ତ୍ରାଳୟ, ରେଶମ ଓଡ଼ିଶା, ଉତ୍କଳିକା ୪ ଗୋଟି ଷ୍ଟଲରେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିବେ।