ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା-୨୦୨୫ର ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି । ପେପର୍-୧ରେ ୭୧.୧୬ ପ୍ରତିଶତ ପାସ୍ ହାର ରହିଥିବାବେଳେ ପେପର୍-୨ରେ ୬୮.୦୬ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଦୁଇଟି ପେପରେ ମୋଟ ୧ ଲକ୍ଷ ୬ ହଜାର ୪୧ ଜଣ କୃତକାର୍ଯ୍ୟ ହୋଇଛନ୍ତି ।
ଗତ ଡିସେମ୍ବର ୧୭ ତାରିଖରେ ଓଟିଇଟି-୨୦୨୫ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥିରେ ୧ ଲକ୍ଷ ୬୦ ହଜାର ୪୨୦ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୫୩ ହଜାର ୭୪୭ ଜଣ ପରୀକ୍ଷା ଦେଇଥିଲେ । ତନ୍ମମଧ୍ୟରୁ ପେପର୍-୧ରେ ୪୭ ହଜାର ୭୩୧ ଜଣ ଆବେଦନ କରିଥିବାବେଳେ ୪୫ ହଜାର ୯୧ ଜଣ ପରୀକ୍ଷା ଦେଇଥିଲେ ଏବଂ ୨ ହଜାର ୬୪୦ ଜଣ ଅନୁପସ୍ଥିତ ଥିଲେ । ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୨ ହଜାର ୮୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ପେପର୍-୨ରେ ୧ ଲକ୍ଷ ୧୨ ହଜାର ୬୮୯ ଜଣ ଆବେଦନ କରିଥିବା ୧ ଲକ୍ଷ ୮ ହଜାର ୬୫୬ ଜଣ ପରୀକ୍ଷା ଦେଇଥିବାବେଳେ ୪ ହଜାର ୩୩ ଜଣ ଅନୁପସ୍ଥିତ ରହିଥିଲେ । ପେପର୍-୨ରେ ୭୩ ହଜାର ୯୫୪ ଜଣ ଓଟିଇଟି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟର ୱେବସାଇଟରେ ପରୀକ୍ଷାର୍ଥୀମାନେ ନିଜର ଫଳାଫଳ ଦେଖି ପାରିବେ । ସେହିପରି ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀମାନେ ସେମାନଙ୍କର ମାର୍କଲିଷ୍ଟର ହାର୍ଡକପି ୱେବସାଇଟରେ ଟଙ୍କା ପୈଠ କରି ନେଇପାରିବେ । ଯେଉଁମାନେ କୃତକାର୍ଯ୍ୟ ହୋଇନାହାଁନ୍ତି ସେମାନେ ନିଜର ଓଏମଆର୍ ସିଟ୍ ହାର୍ଡକପି ମଧ୍ୟ ନେଇ ପାରିବେ ।
ଉଲ୍ଲେଖଯୋଗ୍ୟ, ଆସନ୍ତା ମେ ତୃତୀୟ ସପ୍ତାହରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଟିଇଟି-2026 ପରୀକ୍ଷା ଅନୁଷ୍ଠିତ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଏ ନେଇ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଅନଲାଇନ୍ ଆବେଦନ ପ୍ରକ୍ରିୟା, ଯୋଗ୍ୟତା ମାନଦଣ୍ଡ, ପରୀକ୍ଷା ତାରିଖ ଏବଂ ସିଲାବସ୍ ଇତ୍ୟାଦି ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ ବୋଲି ବିଏସଇ ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି ।