ସାଂଘାଇ: ଚୀନ ସାଂଘାଇରେ ବଡ଼ ଧରଣର ଅଘଟଣ। ଏକ ବ୍ୟସ୍ତବହୁଳ ରାସ୍ତା ହଠାତ୍ ଧସିଗଲା, ଯାହା ଫଳରେ ଏକ ବଡ଼ ଗାତ ସୃଷ୍ଟି କରିଛି। ଲୋକମାନେ ଯା'ଆସ କରୁଥିବା ବେଳେ ରାସ୍ତାଟି ଚାହୁଁ ଚାହୁଁ ହଠାତ୍ ଦବିଯାଇ ସେଠାରେ ବଡ଼ଧରଣର ଗାତ ସୃଷ୍ଟି ହୋଇଛି। ରାସ୍ତା ଧସିବାର ଭୟଙ୍କର ଦୃଶ୍ୟ CCTV ଫୁଟେଜରେ କଏଦ୍ ହୋଇଛି।
ଚୀନ୍ ସାଂଘାଇର ମିନହାଙ୍ଗ ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା। ପୋଲିସ ସୂଚନା ମୁତାବକ, ଏଠାକାର କ୍ୱିକ୍ସିନ୍ ରୋଡ୍ ଓ ଲିୟାନ ରୋଡ ଜଙ୍କସନରେ ହଠାତ ରାସ୍ତା ଦବି ଯାଇଛି। ତେବେ ସୌଭାଗ୍ୟବଶତଃ ଏଥିରେ କୌଣସି ଲୋକଙ୍କର ମୃତ୍ୟୁ କିମ୍ବା ଆହତ ହୋଇନାହନ୍ତି।
ରାସ୍ତା ଖାଲି ଥିବାରୁ କୌଣସି ଗାଡ଼ି ମଧ୍ୟ ଦବି ନାହିଁ। ବର୍ତ୍ତମାନ ସଂପୃକ୍ତ ଅଞ୍ଚଳକୁ ବ୍ୟାରିକେଡ୍ କରାଯାଇଛି। ପ୍ରଶାସନ ପକ୍ଷରୁ ସୁରକ୍ଷା ଯାଞ୍ଚ ଜାରି ରହିବା ସହ ମରାମତିରେ ଲାଗି ପଡିଛି ସ୍ପେଶାଲ ଟିମ୍। କୁହାଯାଉଛି ଯେ ଏକ ଜିୟାମିନ୍ ମେଟ୍ରୋ ନିର୍ମାଣ ପାଇଁ ଏଠାରେ ଅଣ୍ଡର ଗ୍ରାଉଣ୍ଡ କାମ ଚାଲିଥିଲା। ତେବେ ସେଠାରେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାସ୍ତାର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଛି।
ତେବେ ଏହି ଘଟଣାର କାରଣ କୌଣସି ପ୍ରାକୃତିକ ବିପର୍ଯ୍ୟୟ ନୁହେଁ, ବରଂ ଦ୍ରୁତଗତିରେ ବଢୁଥିବା ସହରୀକରଣ ଏବଂ ଦୁର୍ବଳ ନିର୍ମାଣ ଯୋଗୁଁ ଏହି ଭୟଙ୍କର ପରିଣାମ ଦେଖିବାକୁ ମିଳିଛି। ଆକାଶ ଛୁଆଁ କୋଠା ପାଇଁ ଏହି ଘଟଣାର ମୁଖ୍ୟ କାରଣ। ପ୍ରତିଦିନ ଏହି ରାସ୍ତାରେ ଯାଉଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏହା ଏକ ଭୟଙ୍କର ଚେତାବନୀ।
ଅଧିକ ପଢନ୍ତୁ: ‘ଆତଙ୍କବାଦ ବିରୋଧରେ ଲଢ଼ିବାରେ ବନ୍ଧୁ ରାଷ୍ଟ୍ରର ସମର୍ଥନ ଅତ୍ୟନ୍ତ ଜରୁରୀ’