ଭୁବନେଶ୍ୱର: ଦେଢ ଦିନ ଯାଏଁ ବୃଦ୍ଧ ଦମ୍ପତିଙ୍କୁ ନଜରବନ୍ଦୀ। ଚାଲାଖି କରିବାରୁ ଅଳ୍ପକେ ବଞ୍ଚିଗଲା କୋଟିଏ ଟଙ୍କା। ଆଧାରକାର୍ଡରେ ଆତଙ୍କବାଦୀଙ୍କ ଲିଙ୍କ ରହିଥିବା କହି ବରିଷ୍ଠ ନାଗରିକଙ୍କୁ ୩୫ ଘଣ୍ଟା ଧରି ଡିଜିଟାଲ ଆରେଷ୍ଟ କରିଥିଲେ ଲୁଟେରା। ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା।
ଭୁବନେଶ୍ୱରର ନୟାପଲ୍ଲୀରେ ବାସ କରୁଥିବା ନାଲକୋର ଜଣେ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଓ ତାଙ୍କ ଅବସରପ୍ରାପ୍ତ ଅଧ୍ୟାପିକା ପତ୍ନୀ ସାଇବର ଠକଙ୍କ ଜାଲରେ ପଡ଼ିଥିଲେ। ନିଜ ଘରେ ୩୫ ଘଣ୍ଟା ଧରି ଡିଜିଟାଲ ଆରେଷ୍ଟର ଶିକାର ହୋଇଥିଲେ। ସବୁ ଡକ୍ୟୁମେଣ୍ଟ ଅନ ଲାଇନରେ ନେଇଛନ୍ତି ସାଇବର ଲୁଟେରା।
ଅଭିଯୋଗ ଅନୁସାରେ, ଏକ ଅଜଣା ନମ୍ବରରେ ଦୁର୍ବୃତ୍ତ କଲ୍ କରି ନିଜକୁ ପୋଲିସର ପରିଚୟ ଦେଇ ଉଭୟଙ୍କୁ ଭୟ ଦେଖାଇଥିଲେ। ତାଙ୍କ ଆଧାର କାର୍ଡ ଆତଙ୍କବାଦୀ ବ୍ୟବହାର କରୁଥିବା କହିଥିଲେ। ଆତଙ୍କବାଦ ଲିଙ୍କ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯିବ ଏବଂ ବିନା ଅନୁମତିରେ ପାଦେ ବି ନଘୁଞ୍ଚିବାକୁ ଧମକ ଦେଇଥିଲେ। ମାମଲାରୁ ବର୍ତ୍ତିକୁ କୋଟିଏ ଟଙ୍କା ମାଗିଥିଲେ ସାଇବର ଠକ। ଭୟରେ ପ୍ରାୟ ୩୫ ଘଣ୍ଟା ଧରି ଠକଙ୍କ କଥାରେ ଘରେ ନଜରବନ୍ଦୀ ହୋଇ ରହିଲେ ଦମ୍ପତ୍ତି। ତେବେ ଟଙ୍କା ପଠାଇବାକୁ ବ୍ୟାଙ୍କ ଯାଇଥିବା ବେଳେ ଠକର ଆକାଉଣ୍ଟଟି ଅଚଳ ବୋଲି ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ଅଧିକ ଖୋଳତାଡ଼ ପରେ ସେମାନେ ଠକେଇର ଶିକାର ହୋଇଥିବା ଜଣାପଡ଼ିଥିଲା। ତୁରନ୍ତ ସାଇବର ଥାନାକୁ ଜଣାଇବା ସହିତ ଏକ ବଡ଼ ଧରଣର ଠକେଇରୁ ବର୍ତ୍ତି ଯାଇଛନ୍ତି ଦମ୍ପତି।
ଅଧିକ ପଢନ୍ତୁ: ଜମି କିଣାବିକାରେ ଆଉ ହୋଇପାରିବନି ଠକେଇ; ଆସିବ ନୂଆ କ୍ୟୁଆର କୋର୍ଡ ପଟ୍ଟା