ପୁରୀ: ଆଜି ହେଉଛି ପଙ୍କୋଦ୍ଧାର ଏକାଦଶୀ । ଫାଲଗୁନ କୃଷ୍ଣ ପକ୍ଷ ଏକାଦଶୀକୁ ପଙ୍କୋଦ୍ଧାର ଏକାଦଶୀ ବା ବିଜୟା ଏକାଦଶୀ କୁହାଯାଏ । ତେଣୁ ଆଜି ପୁରୀ ଲୋକନାଥ ପୀଠରେ ପଙ୍କୋଦ୍ଧାର ଏକାଦଶୀ ଅନୁଷ୍ଠିତ ହେଉଛି । ପ୍ରଭୁ ଲୋକନାଥଙ୍କ ଗର୍ଭ ଗୃହରୁ ଜଳ ନିଷ୍କାସନ କରାଯାଇଛି । ରାତ୍ର ୧୨ଟାରୁ ଦ୍ୱାର ଫିଟାଯାଇ ଭୋର ୪ଟାରୁ ପଙ୍କୋଦ୍ଧାର କରାଯାଇଛି ।
ପ୍ରଭୁ ଶ୍ରୀଲୋକନାଥଙ୍କ ଲିଙ୍ଗ ବର୍ଷକ ସାରା ପାଣିରେ ବୁଡ଼ି ରହିଥାଏ । ବର୍ଷସାରା ଲାଗି ହୋଇଥିବା ବେଲପତ୍ର, କ୍ଷୀର, ଜଳ, ଭୋଗ, ଫୁଲ, ସୁନା ଏବଂ ରୁପା ରହିଥାଏ । ଆଜିର ଦିନରେ ଗର୍ଭଗୃହରୁ ଏହି ପଙ୍କକୁ ଉଦ୍ଧାର କରାଯାଇଥାଏ । ପଙ୍କୋଦ୍ଧାର କରିଥିବା ସେବାୟତମାନେ ପାର୍ବତୀ ସାଗରରେ ସ୍ନାନ କରି ମହାପ୍ରଭୁଙ୍କ ଦର୍ଶନ କରିବେ । କେବଳ ଆଜିର ଦିନରେ ହିଁ ଶ୍ରୀଲୋକନାଥଙ୍କ ଖୋଲା ଦର୍ଶନ ମିଳିଥାଏ । ମହାସ୍ନାନ ପରେ ଦିବ୍ୟ ଦର୍ଶନ ଆରମ୍ଭ ହେବ । ସେଥିପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଛି । ଭକ୍ତଙ୍କ ସମାଗମ ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ତତସହିତ ଆମ୍ବୁଲାନ୍ସ, ପାନୀୟ ଜଳ, ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି ।
ବିଜୟା ଏକାଦଶୀର ମାହାତ୍ମ୍ୟ
ପଙ୍କୋଦ୍ଧାର ଏକାଦଶୀ ବା ବିଜୟା ଏକାଦଶୀ ବ୍ରତ କଲେ ମଣିଷ ଶତ୍ରୁକୁ ବିଜୟ କରିପାରେ । ପୁରାଣ କଥା ଅନୁଯାୟୀ ସୀତା ହରଣ ବେଳେ ରାମଚନ୍ଦ୍ର ବାନର ସେନା ସହ ସମୁଦ୍ରର ଉତ୍ତର ତୀରରେ ପହଞ୍ଚି ରାବଣ ପରି ବଳବାନ ଶତ୍ରୁ ଓ ସାଗରର ଗମ୍ଭୀରତା ନେଇ ଚିନ୍ତିତ ହୋଇପଡ଼ିଥିଲେ । ସମୁଦ୍ରକୁ କିପରି ପାରହେବେ ସେଥିଲାଗି ଉପାୟ ଖୋଜିବା ବେଳେ ଜଣେ ମୁନିଙ୍କ ପରାମର୍ଶରେ ଏହି ବିଜୟା ଏକାଦଶୀ ବ୍ରତ ପାଳନ କଲେ । ବ୍ରତର ପ୍ରଭାବରେ ସେ ସମୁଦ୍ର ପାର ହୋଇ ରାବଣ ବଧ କରିଥିବାର ବିଶ୍ୱାସ ରହିଛି ।