ନବରଙ୍ଗପୁର: ନବରଙ୍ଗପୁରରୁ ପୁରୀ ଅଭିମୁଖେ ଜଗନ୍ନାଥ ଦର୍ଶନ ପାଇଁ ବାହାରିଛନ୍ତି ବରିଷ୍ଠ ନାଗରିକ ଓ ବିଧବା ମହିଳା । ଶୁକ୍ରବାର ନବରଙ୍ଗପୁରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 'ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା'ର ଶୁଭାରମ୍ଭ କରିଛନ୍ତି । ତତସହିତ ନୂଆ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ଜିଲ୍ଲା ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି ।
"ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା"ରେ ବରିଷ୍ଠ ନାଗରିକ ଏବଂ ବିଧବା ମହିଳାମାନେ ମାଗଣାରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିବେ । ସେଠାରେ ସରକାରଙ୍କ ପକ୍ଷରୁ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ, ବସରେ ଯାତାୟତ, ଶ୍ରୀକ୍ଷେତ୍ରରେ ରହଣି ଏବଂ ମହାପ୍ରସାଦ ସେବନ ବନ୍ଦୋବସ୍ତ କରାଯାଇଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତର ନାଥ, ତେଣୁ ତାଙ୍କ ଦର୍ଶନ ପାଇଁ କୌଣସି ବାଧା ରହିବା ଉଚିତ ନୁହେଁ। ପ୍ରତିଟି ଓଡିଆ ଯେପରି ଜୀବନରେ ଅନ୍ତତଃ ଥରେ ସମ୍ମାନର ସହ ମହାପ୍ରଭୁଙ୍କ ଦର୍ଶନ ପାଇବେ, ଏହି ଚିନ୍ତାଧାରା ରଖି ଆମ ସରକାର ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଯେଉଁ ଦିନ ପ୍ରତିଟି ଗରିବ ଲୋକ ବିନା କୌଣସି ବାଧାରେ ମହାପ୍ରଭୁଙ୍କ ଚକାନୟନ ସହ ଆଖି ମିଳାଇ ପାରିବ ଏବଂ ଶ୍ରଦ୍ଧାରେ ଲୁହ ଝରାଇବ, ସେହି ଦିନ ହିଁ ମୋର ମୁଖ୍ୟମନ୍ତ୍ରୀ ପଦ ସାର୍ଥକ ହେବ ଏବଂ ମୋ ପାଇଁ ସେହି ଭକ୍ତର ସନ୍ତୋଷ ହିଁ ହେବ ସର୍ବଶ୍ରେଷ୍ଠ ପୁରସ୍କାର ।
ଆଜି ରାଜ୍ୟର ନବରଙ୍ଗପୁର, ଭଦ୍ରକ, ବାରିପଦା, ସମ୍ବଲପୁର, ଏବଂ ବ୍ରହ୍ମପୁରଠାରୁ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ ହୋଇଛି । ୫ଟି ଜିଲ୍ଲାରୁ ପ୍ରାୟ ୫୦୦ ଶ୍ରଦ୍ଧାଳୁ ତୀର୍ଥଯାତ୍ରୀ ଏସ୍କଟ ଅଫିସରଙ୍କ ସହିତ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ଏହି ଯୋଜନାରେ ଚଳିତ ବର୍ଷ ରାଜ୍ୟର ୫ ହଜାର ହିତାଧିକାରୀ ଏବଂ ଆସନ୍ତା ୪ ବର୍ଷ ମଧ୍ୟରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇବାର ଲକ୍ଷ୍ୟ ରହିଛି। ଆର୍ଥିକ ଦୁର୍ବଳ ଶ୍ରେଣୀର ୬୦ ରୁ ୭୫ ବର୍ଷ ବୟସ ସୀମା ମଧ୍ୟରେ ଥିବା ବରିଷ୍ଠ ନାଗରିକ ଓ ୭୫ ବର୍ଷ ବୟସ ମଧ୍ୟରେ ଥିବା ସମସ୍ତ ବିଧବା ମା’ ମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଉଛି। ଯୋଜନାର ହିତାଧିକାରୀମାନଙ୍କୁ ଏସି ବସରେ ଯାତାୟତ ସହ ପୁରୀ ବୃନ୍ଦାବତୀ ନିବାସରେ ରହଣି ଓ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ହିତାଧିକାରୀଙ୍କୁ କିଟ୍ ବ୍ୟାଗ ପ୍ରଦାନ କରିବା ସହିତ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଓ ସାମାଜିକ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଥିଲେ।
ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ଓ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଥିଲେ ଯେ, ଜୀବନରେ ସମସ୍ତଙ୍କ ଲକ୍ଷ୍ୟ ଥାଏ ଥରଟିଏ ଶ୍ରୀମନ୍ଦିର ଯାଇ ବାଇଶି ପାହାଚ ଚଢିବା ପାଇଁ। ସାଧାରଣ ଲୋକର ମନର ଭାବନାକୁ ରୂପାନ୍ତରିତ କରି ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ବ୍ୟବସ୍ଥା କରିଛୁ। ଏହି ଯୋଜନା ହେଉଛି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ଯୋଜନା। ଜିଲ୍ଲାବାସୀଙ୍କ ପାଇଁ ମେଡିକାଲ କଲେଜ ଲାଇଫ୍ ଲାଇନ୍ ହେବ ବୋଲି ସେ କହିଥିଲେ।