ନୂଆଦିଲ୍ଲୀ: ପଡୋଶୀ ଦେଶ ବାଂଲାଦେଶରେ ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ତାରିକ ରେହମାନଙ୍କ ପାର୍ଟି ବାଂଲାଦେଶ ନ୍ୟାସନାଲ ପାର୍ଟି(ବିଏନପି) ବିପୁଳ ବିଜୟ ହାସଲ କରିଛି । ମୋଟ୍ ୨୯୯ ଆସନରୁ ୨୦୦ରୁ ଅଧିକ ଆସନରେ ଜିତି ପ୍ରଚଣ୍ଡ ବହୁମତ ହାସଲ କରିଛି ବିଏନପି । ଏହି ପରିଣାମରୁ ସ୍ପଷ୍ଟ ଯେ, ତାରିକ ରେହମାନ ଏବେ ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପୁଅ । ରେହମାନ ଏହି ନିର୍ବାଚନରେ ଜମାତ ଏ ଇସଲାମୀ ଓ ଛାତ୍ରଙ୍କ ପାର୍ଟି ନ୍ୟାସନାଲ ସିଟିଜନପାର୍ଟିର ମେଣ୍ଟକୁ ଶୋଚନୀୟ ଭାବେ ପରାଜିତ କରିଛନ୍ତି । ଏହି ରାଜନୈତିକ ପରିବର୍ତ୍ତନର ପ୍ରଭାବ କେବଳ ବାଂଲାଦେଶ ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ପଡୋଶୀ ଭାରତ ଓ କ୍ଷେତ୍ରୀୟ ଭୂ-ରାଜନୈତିକ ଉପରେ ମଧ୍ୟ ଏହାର ପ୍ରଭାବ ସ୍ପଷ୍ଟ ଭାବେ ପଡିପାରେ ।
ଭାରତ-ବାଂଲାଦେଶ ସଂପର୍କ ସୁଧୁରିବାର ଆଶା
ଭାରତ ନିର୍ବାଚନ ପରିଣାମ ଆସିବା ପୂର୍ବରୁ ବାଂଲାଦେଶର ନୂଆ ନେତୃତ୍ୱକୁ ଶୁଭକାମନା ଜଣାଇ ଏହି ସଙ୍କେତ ଦେଇଛନ୍ତି ଯେ, ଭାରତ ସମ୍ବନ୍ଧକୁ ପୁଣି ଥରେ ମଜବୁତ କରିବାକୁ ଚାହୁଁଛି । କାରଣ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା କ୍ଷମତାରୁ ହଟିବା ପରେ ଦୁଇ ଦେଶର ସଂପର୍କରେ ତିକ୍ତତା ଭରି ରହିଛି । ଭାରତ ନଜରରେ ବିଏନପି ଗଣତାନ୍ତ୍ରିକ ପାର୍ଟି । ତେଣୁ ଭାରତ ସହିତ ସଂପର୍କ ସୁଧୁରିବ ବୋଲି ଆଶା କରାଯାଉଛି ।
ବାଂଲାଦେଶର ଫାଷ୍ଟ ନୀତି ଓ ସନ୍ତୁଳନ ରଣନୀତି
ପଡୋଶୀ ଦେଶର ଦାୟିତ୍ୱ ନେବାକୁ ଯାଉଥିବା ନୂଆ ନେତୃତ୍ୱ ବାଂଲାଦେଶ ଫାଷ୍ଟ ନୀତିର କଥା କହିଛି, ଯାହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆମେରିକା ଫାଷ୍ଟ ନୀତିଠୁ ପ୍ରେରିତ । ଏହାର ଅର୍ଥ ବାଂଲାଦେଶ ଏବେ ଭାରତ, ଚୀନ ଓ ପାକିସ୍ତାନ ତିନି ଦେଶ ସହ ସନ୍ତୁଳନ ସମ୍ବନ୍ଧ ବଜାୟ ରଖିବାକୁ ଉଦ୍ୟମ କରିବ । ଏହା ଭାରତ ପାଇଁ ବଡ ଆଶ୍ୱସ୍ତିକର ବିଷୟ ହୋଇପାରେ । କାରଣ ଅନ୍ତରୀଣ ସରକାର ସମୟରେ ମହମ୍ମଦ ୟୁନୁସ ପ୍ରଶାସନର ଗୁରୁତ୍ୱ ପାକିସ୍ତାନ ଓ ଚୀନ ଉପରେ ଥିଲା ।
ବାଂଲାଦେଶରେ ହିନ୍ଦୁଙ୍କ ପାଇଁ କଣ ସଙ୍କେତ ?
ନିକଟ ବର୍ଷରେ ବାଂଲାଦେଶରେ ହିନ୍ଦୁ ସମୁଦାୟଙ୍କ ଉପରେ ହମଲା ଘଟଣା ବଢିବାରେ ଲାଗିଛି । ଏମିତିରେ ପ୍ରଶ୍ନ ଉଠୁଛି କଣ ନୂଆ ସରକାରଙ୍କ ହିନ୍ଦୁଙ୍କ ପ୍ରତି କଣ ଆଭିମୁଖ୍ୟ ରହିବ । ତାରିକ ରେହମାନ ସାର୍ବଜନୀନ ବାବେ କହିଛନ୍ତି ଯେ, ଧର୍ମ ବ୍ୟକ୍ତିଗତ ମାତ୍ର ରାଜ୍ୟ ସମସ୍ତ ନାଗରିକଙ୍କର । ଯଦି ତାରିକ ରେହମାନଙ୍କ ଏହି ନୀତି ତୃଣମୂଳ ସ୍ତରରୁ ଲାଗୁ ହୁଏ ତେବେ ବାଂଲାଦେଶରେ ପ୍ରାୟ ୮ ପ୍ରତିଶତ ହିନ୍ଦୁ ସମୁଦାୟଙ୍କ ପାଇଁ ସୁରକ୍ଷାର ଭରସା ବଢିପାରେ ।
Also read: ତାରିକ ରେହମାନଙ୍କୁ ଫୋନ କଲେ ପିଏମ ମୋଦୀ, ବାଂଲାଦେଶ ନିର୍ବାଚନରେ ବିଏନପିର ବିଜୟ ନେଇ ଜଣାଇଲେ ଶୁଭେଚ୍ଛା