ନୂଆଦିଲ୍ଲୀ: ବାଂଲାଦେଶରେ ଗୁରୁବାର ଜାନୀୟ ନିର୍ବାଚନ ପାଇଁ ଭୋଟ୍ଦାନ ଅନୁଷ୍ଠିତ ହୋଇଛି। ତ୍ରୟୋଦଶ ସଂସଦୀୟ ନିର୍ବାଚନରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି) ସ୍ପଷ୍ଟ ବହୁମତ ହାସଲ କରିଛି। ସ୍ଥାନୀୟ ଟିଭିକୁ ଉଦ୍ଧୃତ କରି ରୟଟର୍ସ ରିପୋର୍ଟ କରିଛି ଯେ ୩୦୦ ସଦସ୍ୟ ବିଶିଷ୍ଟ ସଂସଦରେ ବିଏନ୍ପି ୧୫୧ ଆସନ ଜିତିଛି। ଏହାର ପ୍ରାର୍ଥୀମାନେ ଅନ୍ୟ ଅନେକ ଆସନରେ ଆଗୁଆ ଅଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ବିଏନ୍ପି ଅଧ୍ୟକ୍ଷ ଏବଂ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ, ତାରିକ୍ ରହମାନ ଉଭୟ ଆସନରେ ବିଜୟୀ ହୋଇଛନ୍ତି।
ବିଏନ୍ପି ବାଂଲାଦେଶରେ କ୍ଷମତା ଦୌଡ଼ରେ ଏକ ବିଶାଳ ବିଜୟ ଆଡକୁ ଅଗ୍ରସର ହେଉଛି। ଅଗଷ୍ଟ ୨୦୨୪ରେ ଶେଖ ହସିନା ସରକାରଙ୍କ ପତନ ପରେ ଦେଶରେ ଗଣତନ୍ତ୍ର ପୁନରୁଦ୍ଧାର ପାଇଁ ଏହା ପ୍ରଥମ ବଡ଼ ନିର୍ବାଚନ। ଗତକାଲି ସକାଳ ୭ଟା ୩୦ରୁ ସନ୍ଧ୍ୟା ୪ଟା ୩୦ ପର୍ଯ୍ୟନ୍ତ ୪୨,୭୭୯ ମତଦାନ କେନ୍ଦ୍ରରେ ମତଦାନ ହୋଇଥିଲା।
୫୦ଟି ରାଜନୈତିକ ଦଳର ୧୭୫୫ ଜଣ ପ୍ରାର୍ଥୀ ଏବଂ ୨୭୩ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଏନପି ଅଧ୍ୟକ୍ଷା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ଢାକା-୧୭ ଏବଂ ବୋଗୁରା-୬ ଆସନରେ ବିଜୟୀ ହୋଇଛନ୍ତି। ରହମାନ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ।
ଜମାତ-ଏ-ଇସଲାମିର ସଭାପତି ଶଫିକୁର ରହମାନ ରାଜଧାନୀର ଗୋଟିଏ ଆସନରେ ଆଗୁଆ ଅଛନ୍ତି, ଯେତେବେଳେ ଜମାତ ସାଧାରଣ ସମ୍ପାଦକ ମିୟା ଗୋଲାମ ପୋରୱାର ଦକ୍ଷିଣ-ପଶ୍ଚିମ ଖୁଲନା ଆସନରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଏନପିର ଅଲି ଅସଗର ଲାବିଙ୍କଠାରୁ ପରାସ୍ତ ହୋଇଛନ୍ତି।
ନିର୍ବାଚନ କମିଶନ ଅଧିକାରୀମାନେ କହିଛନ୍ତି ଯେ ଶୁକ୍ରବାର ସକାଳ ସୁଦ୍ଧା ସମସ୍ତ ଫଳାଫଳ ଆଶା କରାଯାଉଛି। ଏହି ସମୟରେ ସଂସଦୀୟ ନିର୍ବାଚନ ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ଜନମତ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା। ନିର୍ବାଚନ ଅଧିକାରୀ ଏବଂ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରାରମ୍ଭିକ ଫଳାଫଳ ଦର୍ଶାଉଛି ଯେ ବିଏନପି ଏକ ବିଶାଳ ବିଜୟରେ ଆଗୁଆ ଅଛି।
ଅଧିକ ପଢ଼ନ୍ତୁ: ଟି-୨୦ ବିଶ୍ୱକପରେ ସବୁଠୁ ବଡ ବିଜୟ ହାସଲ କଲା ଭାରତ