ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନରେ ୩ସିଟ୍ ଦଖଲ କରିବ ବିଜେପି। ଏନେଇ ଦମ୍ଭୋକ୍ତି ଦେଖାଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲି ସିଂହ ତୋମାର। ସେ କହିଛନ୍ତି, ୩ଟି ସିଟ୍ ଦଖଲ କରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି। ତେବେ ପ୍ରାର୍ଥୀ କିଏ ହେବ ତାହାର ନିଷ୍ପତ୍ତି ସଂସଦୀୟ ବୋର୍ଡ ନେବ ବୋଲି କହିଛନ୍ତି।
ଓଡ଼ିଶାରୁ ରାଜ୍ୟସଭାର ୪ଟି ଆସନ ଏପ୍ରିଲ ପ୍ରଥମ ସପ୍ତାହରେ ଖାଲି ହେବାକୁ ଯାଉଛି। ତେବେ ଚଳିତ ମାସ ଶେଷ ସପ୍ତାହରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାକୁ ନେଇ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ଗତିବିଧି ବଢିଲାଣି। ରାଜ୍ୟସଭାରେ ବର୍ତ୍ତମାନ ବିଜେଡିର ୭ ଓ ବିଜେପିର ୩ ସାଂସଦ ରହିଛନ୍ତି। ଆସନ୍ତା ଏପ୍ରିଲ ୨ରେ ବିଜେପିର ସୁଜିତ କୁମାର ଓ ମମତା ମହନ୍ତ ଏବଂ ବିଜେଡିର ମୁଜିବୁଲ୍ଲା ଖାନ୍ ଓ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେବ।
ବର୍ତ୍ତମାନ ବିଧାନସଭାରେ ବିଜେପିର ୭୯, ବିଜେଡିର ୫୦, କଂଗ୍ରେସର ୧୪ ଓ ସିପିଆଇ (ଏମର ଜଣେ ବିଧାୟକ ଅଛନ୍ତି। ତିନିଜଣ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ କରୁଛନ୍ତି। ସଂଖ୍ୟା ଆଧାରରେ ୩ଟି ଆସନ ପାଇଁ ବିଜେପି ଓ ବିଜେଡି ପାଖରେ ସ୍ପଷ୍ଟ ବହୁମତ ଥିବାରୁ ୪ର୍ଥ ଆସନକୁ ନେଇ ରାଜନୈତିକ ଛକାପଞ୍ଜା ସୃଷ୍ଟି ହୋଇପାରେ। ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କ ଭୋଟ କୁଆଡ଼େ ଯିବ ତାହା ଉପରେ ସମସ୍ତଙ୍କ ନଜର ରହିବ। କ୍ରସ୍ ଭୋଟିଂ ଓ ଘୋଡ଼ା ବେପାର ଆଶଙ୍କା ମଧ୍ୟ ରହିଛି।
ବିଜେପି ୪ର୍ଥ ଆସନ ଜିତିବା ଦାବି କରୁଥିବା ବେଳେ ବିଜେଡି ନିଜ ରଣନୀତି ସ୍ପଷ୍ଟ କରିନାହିଁ। କଂଗ୍ରେସ-ବିଜେଡି ମିଳିତ ପ୍ରାର୍ଥୀ ସମ୍ଭାବନା ନେଇ ଆଲୋଚନା ଚାଲିଥିଲେ ମଧ୍ୟ ସମୀକ୍ଷକମାନଙ୍କ ମତରେ ଏହାର ସମ୍ଭାବନା କମ୍। ଏପରି ପରିସ୍ଥିତିରେ ୪ର୍ଥ ଆସନର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି।
ଅଧିକ ପଢନ୍ତୁ: ଚଳିତ ମାସ ଶେଷ ସପ୍ତାହରେ ରାଜ୍ୟସଭା ପାଇଁ ବାଜିବ ନିର୍ବାଚନ ବିଗୁଲ୍; ଓଡିଶାରୁ ଖାଲି ହେବାକୁ ଯାଉଛି ୪ ଆସନ